Posted inଖେଳ

ମୁମ୍ବାଇକୁ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୬।୧୨(ତପନ ସ୍ବାଇଁ):ଚଳିତ ବିଜୟ ହଜାରେ ଟ୍ରଫି ଘରୋଇ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ମଙ୍ଗଳବାର ଶକ୍ତିଶାଳୀ ମୁମ୍ବାଇକୁ ହରାଇ ବଡ଼ ସଫଳତା ପାଇଛି। କାର୍ତ୍ତିକ ବିଶ୍ୱାଳଙ୍କ ଅର୍ଦ୍ଧଶତକ, ଗୋବିନ୍ଦ ପୋଦ୍ଦାରଙ୍କ ଅଲ୍‌ରାଉଣ୍ଡ ସଫଳତା ଏବଂ ବୋଲରଙ୍କ ମିଳିତ ଅବଦାନ ବଳରେ ଓଡ଼ିଶା ୮୬ ରନରେ ମୁମ୍ବାଇକୁ ପରାସ୍ତ କରିଛି। କର୍ନାଟକର ଅଲୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୫୦ ଓଭରରେ ୯ ଉଇକେଟ ହରାଇ ୧୯୯ ରନ କରିଥିବାବେଳେ ମୁମ୍ବାଇ ୩୨.୩ ଓଭରରେ ୧୧୩ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଫଳରେ ଏହି ମ୍ୟାଚରୁ ଓଡ଼ିଶାକୁ ୪ ପଏଣ୍ଟ ମିଳିଛି। ତେବେ ଏହା ସତ୍ତ୍ୱେ ଓଡ଼ିଶା ନକ୍‌ଆଉଟରେ ପ୍ରବେଶରୁ ବଞ୍ଚତ୍ତ ହୋଇଛି। ଓଡ଼ିଶା ୭ ମ୍ୟାଚରୁ ୪ ବିଜୟ ଓ ୩ ପରାଜୟ ସହ ମୋଟ ୧୬ ପଏଣ୍ଟ ପାଇ ଗ୍ରୁପ୍‌ ‘ଏ’ରେ ୬ଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ତ୍ରିପୁରା ବିପକ୍ଷ ମ୍ୟାଚରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପରବର୍ତ୍ତୀ ୩ ମ୍ୟାଚରେ ରେଲଓ୍ବେ, କେରଳ ଓ ସୌରାଷ୍ଟ୍ରଠାରୁ ହାରି ଯାଇଥିଲା। ଏବେ କ୍ରମାଗତ ୩ ମ୍ୟାଚରେ ପୁଡୁଚେରି, ସିକ୍କିମ ଓ ମୁମ୍ବାଇକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ମୁମ୍ବାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ଅଜିଙ୍କ୍ୟ ରାହାନେ। ଓଡ଼ିଶା ମାତ୍ର ୧୬ ରନରେ ଟପ୍‌ ଅର୍ଡରର ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଓପନର ତଥା ଅଧିନାୟକ ଶାନ୍ତନୁ ମିଶ୍ର (୧)ଙ୍କଠାରୁ ଆରମ୍ଭ କରି ଇନ୍‌ଫର୍ମ ଶୁଭ୍ରାଂଶୁ ସେନାପତି (୦) ଓ ପ୍ରବୀଣ ଲୁହା (୩) ଫେଲ ମାରିବାରୁ ଦଳ ଶକ୍ତ ଝଟ୍‌କା ଖାଇଥିଲା। ଭଲ ଆରମ୍ଭ କରିଥିଲେ ମଧ୍ୟ ଅପର ପଟରେ ଉଇକେଟ ପତନ ଘଟି ଚାଲିଥିବାରୁ ସନ୍ଦୀପ ପଟ୍ଟନାୟକ ମଧ୍ୟ ଏକାଗ୍ରତା ରକ୍ଷା କରିପାରି ନ ଥିଲେ। ସେ ୩ ଚୌକା ଓ ୧ ଛକା ସହାୟତାରେ ୩୫ ରନ କରିଥିବାବେଳେ ବାମହାତୀ ସ୍ପିନର ଶାମ୍ସ ମୁଲାନୀଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ତେବେ ମିଡିଲ ଅର୍ଡରରେ କାର୍ତ୍ତିକ ବିଶ୍ୱାଳ, ଗୋବିନ୍ଦ ପୋଦ୍ଦାର ଓ ଅଭିଷେକ ରାଉତଙ୍କ ଦୃଢ଼ ବ୍ୟାଟିଂ ଦଳକୁ ସମ୍ମାନଜନକ ସ୍କୋର ଆଡ଼କୁ ନେଇ ଯାଇଥିଲା। କାର୍ତ୍ତିକ ବିଶ୍ୱାଳ ସତର୍କତାର ସହ ପ୍ରତିପକ୍ଷ ବୋଲରଙ୍କୁ ମୁକାବିଲା କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬ ଚୌକା ସହାୟତାରେ ସର୍ବାଧିକ ୬୪ ରନ ସ୍କୋର କରିଥିଲେ। ପୋଦ୍ଦାର ୩୯ (୨ ଚୌକା, ୧ ଛକା) ରନକରି ଆଉଟ ହୋଇଥିବାବେଳେ ଅଭିଷେକ ୩୭ ବଲ୍‌ରୁ ୩୫ (୨ ଚୌକା, ୨ ଛକା) ରନକରି ଅପରାଜିତ ରହିଥିଲେ। ଲୋୟର ଅର୍ଡର ବ୍ୟାଟିଂ ବିଫଳତା କାରଣରୁ ଓଡ଼ିଶା ଇନିଂସ ୧୯୯ରେ ସୀମିତ ରହିଯାଇଥିଲା। ମୁମ୍ବାଇ ବୋଲରଙ୍କ ମଧ୍ୟରେ ମୋହିତ ଅବସ୍ତି ୩ଟି, ରଷ୍ଟନ ଡିଆସ ଓ ଅଥର୍ବ ଅନ୍‌କୋଲେକର ୨ଟି ଲେଖାଏ ଏବଂ ଶିବମ୍‌ ଦୁବେ ଓ ଶାମ୍ସ ମୁଲାନୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୦୦ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଆଶ୍ଚର୍ଯ୍ୟଜନକଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓଡ଼ିଶାର ସମସ୍ତ ବୋଲର ଅତି ଚମତ୍କାର ବୋଲିଂ କରିଥିଲେ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତାରକା ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ (୭) ଓ ଶିବମ୍‌ ଦୁବେ (୮)ଙ୍କ ବିଫଳତା ଦଳକୁ ବ୍ୟକ୍‌ଫୁଟକୁ ଠେଲି ଦେଇଥିଲା। ଓଡ଼ିଶା ବୋଲରମାନେ ଏପରି ବୋଲିଂ କରିଥିଲେ ଯେ ମୁମ୍ବାଇର ଟପ୍‌ ଏବଂ ମିଡିଲ ଅର୍ଡର ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା। ୧୧ ନମ୍ବର ବ୍ୟାଟର ରଷ୍ଟନ ଡିଆସ ସର୍ବାଧିକ ୨୪ ରନକରି ଅପରାଜିତ ରହିଥିଲେ। ହାର୍ଦ୍ଦିକ ତାମୋରେ ୨୩ ରନ କରିବାକୁ ସକ୍ଷମ ହୋଇଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ରାଜେଶ ମହାନ୍ତି ୬ ଓଭରରେ ୨୧ ରନଦେଇ ୨ଟି, ଦେବବ୍ରତ ପ୍ରଧାନ ୬ ଓଭରରେ ଗୋଟିଏ ମେଡେନ ନେବାସହ ୨୦ ରନଦେଇ ୨ଟି, ଗୋବିନ୍ଦ ପୋଦ୍ଦାର ୭ ଓଭରରେ ଗୋଟିଏ ମେଡେନ ନେଇ ୨୬ ରନରେ ୨ଟି ଏବଂ ଅଭିଷେକ ଯାଦବ ୪.୩ ଓଭରରେ ଗୋଟିଏ ମେଡେନ ନେଇ ୨୮ ରନ ବିନିମୟରେ ୨ଟି ଉଇକେଟ ଅକ୍ତିଆର କରିଥିଲେ। ନିଜେ ଅଧିନାୟକ ଶାନ୍ତନୁ ୨ ଓଭର ବୋଲିଂ କରି ମାତ୍ର ୨ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ଅନ୍ୟତମ ବୋଲର ତାରିଣୀ ସ’ ଉଇକେଟ ପାଇ ନ ଥିଲେ ମଧ୍ୟ ୬ ଓଭର ସ୍ପେଲ୍‌ରେ ଗୋଟିଏ ମେଡେନ ନେବା ସହ ମାତ୍ର ୧୨ ରନ ବ୍ୟୟ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ୫୦ ଓଭରରେ ୧୯୯/୯ (କାର୍ତ୍ତିକ ବିଶ୍ୱାଳ-୬୪, ଗୋବିନ୍ଦ ପୋଦ୍ଦାର-୩୯, ଅଭିଷେକ ରାଉତ-୩୫*, ସନ୍ଦୀପ ପଟ୍ଟନାୟକ-୩୫, ମୋହିତ ଅବସ୍ତି-୩/୩୦, ରଷ୍ଟନ ଡିଆସ-୨/୩୬, ଅଥର୍ବ ଅନ୍‌କୋଲେକର-୨/୩୪, ଶିବମ୍‌ ଦୁବେ-୧/୩୬, ଶାମ୍ସ ମୁଲାନୀ-୧/୫୧)। ମୁମ୍ବାଇ ୩୨.୩ ଓଭରରେ ୧୧୩/ଅଲ୍‌ଆଉଟ (ରଷ୍ଟନ ଡିଆସ-୨୪*, ହାର୍ଦ୍ଦିକ ତାମୋରେ-୨୩, ରାଜେଶ ମହାନ୍ତି-୨/୨୧, ଦେବବ୍ରତ ପ୍ରଧାନ-୨/୨୦, ଗୋବିନ୍ଦ ପୋଦ୍ଦାର-୨/୨୬, ଅଭିଷେକ ଯାଦବ-୨/୨୮, ଶାନ୍ତନୁ ମିଶ୍ର-୧/୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri