Categories: ଖେଳ

ବେଙ୍ଗଲକୁ ୭ ଉଇକେଟରେ ହରାଇଲା ଓଡ଼ିଶା

ଭୁବନେଶ୍ୱର,୨୮।୧(ସ୍ପୋଟର୍‌ସ ବ୍ୟୁରୋ): କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ବିଜୟୀ ହୋଇଛି ଓଡ଼ିଶା। ୧୧୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ସହିତ ଚଳିତ ସିଜନର ଅନ୍ତିମ ମ୍ୟାଚରେ ଓଡ଼ିଶା ନିଜର ପ୍ରଥମ ବିଜୟ ହାସଲ କରିଛି। ବେଙ୍ଗଲ ପ୍ରଥମ ଇନିଂସରେ ଫଲୋଅନ ଡାକରା ପାଇ ୨୭୬ ରନରେ ଅଲଆଉଟ ହୋଇଥିଲା। ଭାରତୀୟ ଦଳରେ ସାମିଲ ହୋଇଥିବା ଓପନର ଅଭିମନ୍ୟୁ ଇଶ୍ୱରନ୍‌ଙ୍କ ୧୦୧ ରନ୍‌ ବଳରେ ବେଙ୍ଗଲ ୨୭୬ ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ସୁନୀଲ ରାଉଳ ୬ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଓପନର ଅନୁରାଗ ଷଡଙ୍ଗୀଙ୍କ ୩୭, ସନ୍ଦୀପ ପଟ୍ଟନାୟକଙ୍କ ୨୮*, ଶୁଭ୍ରାଂସୁ ସେନାପତିଙ୍କ ୩୦ ଓ ରାକେଶ ପଟ୍ଟନାୟକଙ୍କ ୨୦* ରନ୍‌ ବଳରେ ଓଡ଼ିଶା ୩ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲେ।
ଶୁଭ୍ରାଂସୁ ସେନାପତିଙ୍କ ୬୭ ରନ୍‌ ବଳରେ ଓଡ଼ିଶା ପ୍ରଥମ ଇନିଂସରେ ୨୬୫ ରନରେ ଅଲଆଉଟ ହୋଇଥିଲା। ଜବାବରେ ସୁନୀଲ ରାଉଳ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୩ ଉଇକେଟ ସଫଳତା ବଳରେ ବେଙ୍ଗଲ ମାତ୍ର ୧୦୦ ରନରେ ଅଲଆଉଟ ହୋଇଥିଲା। ଇଶ୍ୱରନଙ୍କ ଶତକ ଓ ଅଧିନାୟକ ମନୋଜ ତିଓ୍ବାରୀଙ୍କ ୫୨ ରନ୍‌ ବଳରେ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୨୭୬ ରନ୍‌ କରି ଓଡ଼ିଶା ଆଗରେ ୧୧୨ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୯ ଉଇକେଟ ନେଇଥିବା ଓଡ଼ିଶାର ସୁନୀଲ ରାଉଳଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ବେଙ୍ଗଲ ୭ ମ୍ୟାଚରୁ ୩୨ ପଏଣ୍ଟ ସହିତ ଗ୍ରୁପ୍‌ ଡିରେ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶା ସମାନ ସଂଖ୍ୟକ ମ୍ୟାଚରୁ ଗୋଟିଏ ବିଜୟ ସହ ୫ମ ସ୍ଥାନରେ ରହିଛି।

Share