Categories: ଖେଳ

ପ୍ରଥମ ଦିବସରେ ଓଡ଼ିଶା ୨୧୩ରେ ସୀମିତ

ଡେରାଡୁନ୍‌,୨୧ା୧୨: ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଉତ୍ତରାଖଣ୍ଡ ବିପକ୍ଷରେ ଏହାର ଦ୍ୱିତୀୟ ମ୍ୟାଚ ଖେଳିଛି। ପ୍ରଥମ ଦିନରେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୧୩ ରନ୍‌ରେ ସୀମିତ ରହିଛି। ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଉତ୍ତରାଖଣ୍ଡ ବିନା କୌଣସି କ୍ଷତିରେ ୪ ରନ୍‌ ସଂଗ୍ରହ କରିଛି। ଦୁଇ ବାମହାତୀ ସ୍ପିନର ମୟଙ୍କ ମିଶ୍ର ଓ ସ୍ବପ୍ନିଳ ସିଂଙ୍କ ଘାତକ ବୋଲିଂ କାରଣରୁ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଉତ୍ତରାଖଣ୍ଡର ଅଭିମନ୍ୟୁ କ୍ରିକେଟ ଏକାଡେମୀରେ ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଶାନ୍ତନୁ ମିଶ୍ର(୦) ଖାତା ଖୋଲିବାରେ ବିଫଳ ହୋଇଥିଲେ। ଅନୁରାଗ ଷଡଙ୍ଗୀ(୨୭) ଓ ଶୁଭ୍ରାଂଶୁ ସେନାପତି (୧୧) ବଡ ସ୍କୋରରେ ବିଫଳ ହେବା ଯୋଗୁ ଓଡ଼ିଶା ୩୮ ରନରେ ୩ ଉଇକେଟ ହରାଇଥିଲା। ତେବେ ବିପ୍ଳବ ସାମନ୍ତରାୟ(୪୬) ଓ ଟପ୍‌ ସ୍କୋରର କାର୍ତ୍ତିକ ବିଶ୍ୱାଳ(୪୮)ଙ୍କ ମଧ୍ୟରେ ୮୦ ରନର ପାର୍ଟନରଶିପ୍‌ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା। ବିପ୍ଳବ ୧୬୧ ବଲ୍‌ ଖେଳି ୬ ଚୌକା ମାରିଥିଲେ। ଅନ୍ୟ ପକ୍ଷରେ କାର୍ତ୍ତିକ ୭୫ ବଲ ଖେଳି ୮ ଚୌକା ସହିତ ୪୮ ରନ କରିଥିଲେ। ମୟଙ୍କ ମିଶ୍ର ଓ ସ୍ବପ୍ନିଳ ସିଂ ପରସ୍ପର ମଧ୍ୟରେ ୭ ଉଇକେଟ ବାଣ୍ଟିନେବାରୁ ଓଡ଼ିଶା ମଧ୍ୟକ୍ରମ ବଡ ସ୍କୋର କରିବାରେ ବିଫଳ ହୋଇଥିଲା। ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଅଭିଷେକ ରାଉତ ୩୨ ଓ ରାଜେଶ ଧୂପର ୨୧ ରନ୍‌ ସଂଗ୍ରହ କରିଥିଲେ। ଓଡ଼ିଶା ୭୬.୧ ଓଭରରେ ୨୧୩ ରନରେ ଅଲଆଉଟ ହୋଇଥିଲା। ଉତ୍ତରାଖଣ୍ଡ ପକ୍ଷରୁ ସ୍ବପ୍ନିଲ ସିଂ ୪ ଓ ମୟଙ୍କ ମିଶ୍ର ୩ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୀପକ ଧପୋଲା ୨ ଓ ଆକାଶ ମଧଓ୍ବାଲ ଗୋଟିଏ ଉଇକେଟ ନେଇଥିଲେ। ଉତ୍ତରାଖଣ୍ଡ ଇନିଂସର ମାତ୍ର ୪ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଦଳ ବିନା କ୍ଷତିରେ ୪ ରନ ସଂଗ୍ରହ କରିଛି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୭୬.୧ ଓଭରରେ ୨୧୩/୧୦ (କାର୍ତ୍ତିକ ବିଶ୍ୱାଳ-୪୮, ବିପ୍ଳବ ସାମନ୍ତରାୟ-୪୬, ଅଭିଷେକ ରାଉତ-୩୨, ମୟଙ୍କ ମିଶ୍ର-୩/୩୯, ସ୍ବପ୍ନିଳ ସିଂ-୪/୪୮, ଦୀପକ ଧପୋଲା-୨/୪୭)। ଉତ୍ତରାଖଣ୍ଡ ପ୍ରଥମ ଇନିଂସ- ୪ ଓଭରରେ ୪/୦(ଜୀଓ୍ବନଜୋତ ସିଂ-୪*)

Share