୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜୁନିୟର ଇଞ୍ଜିନିୟର

ଭୁବନେଶ୍ୱର,୨୦।୩: ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ବ୍ଲକ ଜୁନିୟର ଇଞ୍ଜିନିୟର ସଂଗୀତା ମହାପାତ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ। ଏକ କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ ସେ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଥିଲା।

ରିପୋର୍ଟ ଅନୁଯାୟୀ ଅଭିଯୋଗକାରୀଙ୍କ ଦ୍ୱାରା କରାଯାଇଥିବା ଏକ ବିକାଶମୂଳକ କାର୍ଯ୍ୟର ବିଲ୍ ପାସ୍ କରିବା ପାଇଁ ସେ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ବ୍ୟକ୍ତି ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ଭିଜିଲାନ୍ସ ଜାଲ ବିଛାଇ ଅପେକ୍ଷା କରି ରହିଥିଲା। ସଂଗୀତା ୫୦ ହଜାର ଟଙ୍କା ନଗଦ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତେ ହାତେ ଧରିଥିଲା। ତାଙ୍କ ନିକଟରୁ ସମ୍ପୁର୍ଣ୍ଣ ଲାଞ୍ଚ ଟଙ୍କା ମଧ୍ୟ ଉଦ୍ଧାର କରାଯାଇ ଜବତ କରାଯାଇଛି।

ଲାଞ୍ଚ ଟଙ୍କା ଧରିବା ପରେ ସଂଗୀତାଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇ ତାଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦିଗରେ ସନ୍ଧାନ କରାଯାଉଛି। ଅଧିନିୟମ, ୨୦୧୮ ର ଧାରା ୭ ଅନୁଯାୟୀ ଏକ ମାମଲା ଭୁବନେଶ୍ୱର ଭିଜିଲାନ୍ସ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।