ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ

ଭୁବନେଶ୍ୱର, ୨୨ା୩(ବ୍ୟୁରୋ): ବିଗତ ଦୁଇ ଦଶନ୍ଧିରେ ରାଜ୍ୟ ସରକାରଙ୍କ ଦ୍ବାରା ଜଳସେଚନର ସୁବିଧା ଓ ସମୟୋଚିତ ଯୋଜନା ଫଳରେ ରାଜ୍ୟ କୃଷି କ୍ଷେତ୍ରରେ ପ୍ରଭୂତ ଉନ୍ନତି ହାସଲ କରିଛି। ଖାଦ୍ୟଶସ୍ୟ ଓ ଅନ୍ୟ କୃଷିଜାତ ଦ୍ରବ୍ୟ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଓଡ଼ିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଶନିବାର ରାଜ୍ୟ ପଣ୍ୟାଗାର ନିଗମର ୬୩ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସ୍ବାଇଁ କହିଛନ୍ତି, ଖାଦ୍ୟଶସ୍ୟକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଓ ସୁଷମ ବଣ୍ଟନକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। କୃଷି କ୍ଷେତ୍ରର ଉତ୍ପାଦନ ଓ ବିପଣନ ବ୍ୟବସ୍ଥା ମଧ୍ୟରେ ପଣ୍ୟାଗାର ସମନ୍ବୟ ରକ୍ଷା କରୁଥିବାରୁ ଏହାର ସୁପରିଚାଳନା ଆଜିର ଆହ୍ବାନ ସାଜିଛି। କୃଷିଜାତ ଦ୍ରବ୍ୟକୁ ଏହିପରି ଭାବେ ସଂରକ୍ଷଣ କରି ରଖିବାକୁ ପଡ଼ିବ, ଯେପରି ଏହାର ଗୁଣାତ୍ମକ ମାନ ବଜାୟ ରହିବ। ଏଥିଲାଗି ଉନ୍ନତ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତି ଆପଣେଇବାକୁ ପଡ଼ିବ। ଗୋଦାମ ଗୃହର ପୂର୍ଣ୍ଣ ବିନିଯୋଗ ନିମନ୍ତେ ସପ୍ଲାଇ ଚେନ୍‌ ମ୍ୟାନେଜ୍‌ମେଣ୍ଟ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଗୋଦାମ ଗୃହଗୁଡ଼ିକର ଦକ୍ଷ ପରିଚାଳନା ନିମନ୍ତେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ କମ୍ପ୍ୟୁଟରାଇଜେଶନ୍‌ ଆବଶ୍ୟକ ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି। ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଗରଡ଼ିଆ କହିଛନ୍ତି, ନିଗମ ଏହାର ଅଂଶୀଦାର ଉଭୟ ରାଜ୍ୟ ସରକାର ଓ କେନ୍ଦ୍ରୀୟ ପଣ୍ୟାଗାର ନିଗମକୁ ନିୟମିତ ଲାଭାଂଶ ପ୍ରଦାନ କରିଆସୁଛି। ଅଦ୍ୟାବଧି ରାଜ୍ୟର ୩୦ ଜିଲାରେ ୬୯ ପଣ୍ୟାଗାର ଶାଖାରେ ୫ ଲକ୍ଷ ୩୫ ହଜାର ମେଟ୍ରିକ୍‌ ଟନ୍‌ ଗୋଦାମ ଘର ପରିଚାଳନା କରୁଛି। ନିଗମର ପଣ୍ୟାଗାରଗୁଡ଼ିକର ପରିଚାଳନା ସବୁକୁ କମ୍ପ୍ୟୁଟରାଇଜେଶନ୍‌ କରିବା ପାଇଁ ପଦକ୍ଷେପ ନିଆଯାଇଛି।