ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଏକ ମାଇଲଷ୍ଟୋନ ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ ଅନୁଯାୟୀ ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ରାଜ୍ୟରେ ଶିଶୁ ମୃତ୍ୟୁହାର ୩୯ ପଏଣ୍ଟ ହ୍ରାସ ପାଇଛି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ପ୍ରକାଶିତ ସାମ୍ପଲ ରେଜିଷ୍ଟ୍ରେସନ୍‌ ସିଷ୍ଟମ, ଏସ୍‌ଆର୍‌ଏସ୍‌ ବୁଲେଟିନ୍‌ରେ ବାର୍ଷିକ ଶିଶୁ ମୃତ୍ୟୁହାର, ଜନ୍ମହାର ଓ ଆନୁଷଙ୍ଗିକ ତଥ୍ୟ ପ୍ରକାଶିତ ହୋଇଥାଏ। ଏବେ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଗୁରୁବାର ‘ମୋ ସରକାର’ର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଅଧିକାରୀଙ୍କୁ ସୂଚନା ଦେଇ କହିଲେ ଯେ ଓଡ଼ିଶା ଶିଶୁ ମୃତ୍ୟୁହାରରେ ୩୯ ପଏଣ୍ଟ ହ୍ରାସ କରିବାରେ ସଫଳ ହୋଇଛି। ୨୦୦୫ରୁ ୨୦୨୦ ମଧ୍ୟରେ ଏହି ସଫଳତା ମିଳିଛି।