ଚତୁର୍ଥ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ, ୨୨।୯: ଭାରତର ଖାଦ୍ୟ ସୁରକ୍ଷା ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ଖାଦ୍ୟ ସୁରକ୍ଷା ସୂଚକାଙ୍କ ପ୍ରକାଶ ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବ୍ୟ ଉନ୍ମୋଚନ କରିଥିବା ଏହି ରିପୋର୍ଟ ଅନୁଯାୟୀ ଖାଦ୍ୟ ସୁରକ୍ଷାରେ ଗୁଜରାଟ ପ୍ରଥମ ସ୍ଥାନରେ ରହିଥିବାବେଳେ କେରଳ ଦ୍ୱିତୀୟ ଏବଂ ତାମିଲନାଡୁ ତାଲିକାର ତୃତୀୟ ସ୍ଥାନରେ ରହିଛି। ଏଥିରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇ ବଡ଼ ସଫଳତା ହାସଲ କରିଛି। ୨୦୧୯-୨୦ ବର୍ଷରେ ରାଜ୍ୟ ୧୩ତମ ସ୍ଥାନରେ ରହିଥିଲା। ଏଥର ମହାରାଷ୍ଟ୍ର ଭଳି ବୃହତ୍‌ ରାଜ୍ୟକୁ ଓଡ଼ିଶା ପଛରେ ପକାଇଦେଇଛି। ରିପୋର୍ଟ ଅନୁଯାୟୀ ଖାଦ୍ୟ ନିରାପତ୍ତାରେ ଓଡ଼ିଶା ଓ ହିମାଚଳପ୍ରଦେଶ ବଡ଼ ଉନ୍ନତି ଆଣିପାରିଛନ୍ତି। ୨୦୨୦-୨୧ ବର୍ଷରେ ରାଜ୍ୟରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉତ୍ପନ୍ନ ହୋଇଥିଲେ ମଧ୍ୟ ଖାଦ୍ୟ ସୁରକ୍ଷାର ଶୀର୍ଷସ୍ଥାନକୁ ଯିବାକୁ ହେଲେ ଆହୁରି ଅନେକ କିଛି କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି।
ମାନବ ସମ୍ବଳ, ଔଦ୍ୟୋଗିକ ତଥ୍ୟ, ଖାଦ୍ୟ ସୁରକ୍ଷା ଆଇନର ଅନୁପାଳନ, ପରୀକ୍ଷା ଭିତ୍ତିଭୂମି ଏବଂ ତଦାରଖ, ତାଲିମ, ସାମର୍ଥ୍ୟ ନିର୍ମାଣ ଏବଂ ଖାଉଟି ସଶକ୍ତୀକରଣ ଆଦି ବିଭିନ୍ନ ଦିଗକୁ ବିଚାରକୁ ନେଇ ଏଫ୍‌ଏସ୍‌ଏସ୍‌ଏଆଇ ଖାଦ୍ୟ ନିରାପତ୍ତା ସୂଚକାଙ୍କ ପ୍ରସ୍ତୁତ କରିଥାଏ। ୨୦୧୯ ପର୍ଯ୍ୟନ୍ତ ଓଡ଼ିଶା ଖାଦ୍ୟ ନିରାପତ୍ତାରେ ଦୁର୍ବଳ ରାଜ୍ୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇଥିଲା। ଗତ ୫ ବର୍ଷ ହେଲା ୨୦ ବୃହତ୍‌ ରାଜ୍ୟ ମଧ୍ୟରେ ଓଡ଼ିଶା ୧୩ ନମ୍ବର ସ୍ଥାନରେ ରହିଥିଲା। ପଡୋଶୀ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଏହି ର଼୍ୟାଙ୍କରେ ଆଗରେ ରହିଥିଲେ।
୨୦୨୦-୨୧ରେ କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟରେ ଗୋଆ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଏହା ପଛକୁ ମେଘାଳୟ ଓ ମଣିପୁର ରହିଛନ୍ତି। ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଜମ୍ମୁ-କଶ୍ମୀର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଦିଲ୍ଲୀ ପ୍ରଥମ ୩ଟି ସ୍ଥାନ ହାସଲ କରିଛନ୍ତି। ଏଫଏସ୍‌ଏସ୍‌ଏଆଇ ଗଠନର ୧୫ ବର୍ଷ ପୂରଣ ଅବସରରେ କେନ୍ଦ୍ରମନ୍ତ୍ରୀ ମାଣ୍ଡବ୍ୟ ଉକ୍ତ ରିପୋର୍ଟ ଉନ୍ମୋଚନ କରିଛନ୍ତି। ଦେଶବାସୀଙ୍କ ପାଖରେ ଯେପରି ଅସ୍ବାସ୍ଥ୍ୟକର ଖାଦ୍ୟ ନ ପହଞ୍ଚେ ସେଥିପାଇଁ ଆମକୁ ଉଦ୍ୟମ କରିବାକୁ ହେବ। ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। ଏଥିପାଇଁ ଅନେକ କିଛି କରିବାକୁ ବାକି ରହିଥିବା ମାଣ୍ଡବ୍ୟ କହିଛନ୍ତି।

Share