ଜଙ୍ଗଲ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଜଙ୍ଗଲ ପରିଚାଳନାରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ମିଳିଛି। ଆଇଏସ୍‌ଏଫ୍‌ଆର୍‌ ରିପୋର୍ଟ-୨୦୧୯ ଅନୁସାରେ ଟେକ୍ନୋଲୋଜି ପ୍ରୟୋଗ ମାଧ୍ୟମରେ ଜଙ୍ଗଲ ଓ ଜଙ୍ଗଲ ପରିଚାଳନାର ବିଭିନ୍ନ ପାରାମିଟରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ଆକଳନ କରାଯାଇଛି। ଏ ନେଇ ରାଜ୍ୟସ୍ତରୀୟ କ୍ଷତିପୂରଣ ବୃକ୍ଷରୋପଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ (କାମ୍ପା) ବୈଠକରେ ଏହି ମତପ୍ରକାଶ ପାଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଲଣ୍ଡା ପାହାଡ଼ (ବାଲ୍ଡ ହିଲ୍‌)ରେ ବୃକ୍ଷରୋପଣ ସହିତ ପୁନଃନିର୍ମାଣ କାର୍ଯ୍ୟ କରି ଗ୍ରୀନ୍‌ କଭରେଜ ବୃଦ୍ଧି ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ଜଙ୍ଗଲ ସମ୍ପତ୍ତିର ଡିଜିଟାଲ୍‌ ଡାଟାବେସ୍‌ ପ୍ରସ୍ତୁତ କରିବା, ନିୟମିତ ଅପଡେଟ୍‌ ସହିତ ପବ୍ଲିକ୍‌ ଡୋମେନରେ ଅପ୍‌ଲୋଡ୍‌ କରିବାକୁ କହିଛନ୍ତି। ସ୍ବାସ୍ଥ୍ୟ ଓ ଜରୁରୀକାଳୀନ ସେବା ସହଜରେ ଉପଲବ୍ଧ ହେବା ପାଇଁ ଜଙ୍ଗଲ ରାସ୍ତାକୁ ଗତିଶୀଳ କରିବା ଲାଗି ବିଭାଗକୁ ୩ ବର୍ଷର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ବୃକ୍ଷରୋପଣ ପ୍ରକଳ୍ପରେ ଗ୍ରୀନ୍‌ କଭରର ପୂର୍ବ ଓ ପରର ତୃତୀୟପକ୍ଷ ମୂଲ୍ୟାଙ୍କନ କରିବାକୁ ପରାମର୍ଶ ଦେଇଛନ୍ତି। ପିସିସିଏଫ୍‌ ସନ୍ଦିପ ତ୍ରିପାଠୀ କହିଛନ୍ତି, ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୭ରୁ ୧୯ ମଧ୍ୟରେ ୨୭୪ ବର୍ଗକିମି ଜଙ୍ଗଲ ବୃଦ୍ଧି ହୋଇଛି। ଏହା ବ୍ୟତୀତ ବୃକ୍ଷର ଆବରଣ କ୍ଷେତ୍ର ମଧ୍ୟ ୬୫୫ ବର୍ଗ କିମି ବୃଦ୍ଧି ପାଇଛି। ଜଙ୍ଗଲ ପରିଚାଳନାରେ ଓଡ଼ିଶା ଜାତୀୟ ସ୍ତରରେ ଷଷ୍ଠ ସ୍ଥାନରେ ରହିଛି।ଏହି ଅବସରରେ ୨୦୨୧-୨୨ବର୍ଷ ପାଇଁ ୯୦୩.୩୯ କୋଟି ଟଙ୍କା ଅନୁମୋଦିତ ହୋଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, କାମ୍ପାର ସିଇଓ ଉମା ନନ୍ଦୁରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।