Categories: ଖେଳ

ଓଡ଼ିଶା ଏଚ୍‌ପିସି, ସ୍ପୋଟର୍‌ସ ହଷ୍ଟେଲ ବିଜୟୀ

ଭୁବନେଶ୍ୱର, ୨୨।୮(କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଚାଲିଥିବା ୧୬ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ରବିବାର ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର (ଓଡ଼ିଶା ଏଚ୍‌ପିସି) ଓ ସ୍ପୋଟର୍‌ସ ହଷ୍ଟେଲ ଦଳ ବିଜୟ ହାସଲ କରିଛନ୍ତି। ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଓଡ଼ିଶା ଏଚ୍‌ପିସି ୫-୧ ଗୋଲରେ ସାଲ୍ୟୁଟ୍‌ ହକି ଏକାଡେମୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ନିହାରିକା ଟପ୍ପୋ ୪୦, ୪୨ ଓ ୬୦ତମ ମିନିଟ୍‌ରେ ୩ଟି ଗୋଲ ଦେଇ ହାଟ୍ରିକ୍‌ ଅର୍ଜନ କରିଥିବାବେଳେ ପ୍ରଜ୍ଞା ପଟେଲ ୨୧ ଓ ଅନୁସ୍କା ଭାଓରେ ୨୬ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

ବିପକ୍ଷ ଦଳର କାଜଲ ୫୩ତମ ମିନିଟ୍‌ରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ପୁଲ୍‌ ‘ଏ’ର ଏକ ମ୍ୟାଚ୍‌ରେ ଅନ୍ୟତମ ଓଡ଼ିଶା ଦଳ ସ୍ପୋଟର୍‌ସ ହଷ୍ଟେଲ ୫-୧ ଗୋଲରେ ରାୟପୁରର ସ୍ମାର୍ଟ ହକି ଏକାଡେମୀକୁ ହରାଇ ଦେଇଛି। ସ୍ପୋଟର୍‌ସ ହଷ୍ଟେଲ ଅଧିନାୟକ ଅମିଶା ଏକ୍କା ୨୩, ୪୦ ଓ ୪୮ତମ ମିନିଟ୍‌ରେ ୩ଟି ଗୋଲ ଦେଇ ହାଟ୍ରିକ୍‌ ଅର୍ଜନ କରିଥିଲେ। ଅର୍ଚ୍ଚନା ଖାଲ୍‌କୋ ୧୨ ଓ ସୁସ୍ମିତା ଡୁଙ୍ଗ୍‌ଡୁଙ୍ଗ ୧୫ତମ ମିନିଟ୍‌ରେ ଅନ୍ୟ ୨ଟି ଗୋଲ ଦେଇଥିଲେ। ରାୟପୁର ଦଳର ନିଶୁ ଭିହାନ ୩୦ତମ ମିନିଟ୍‌ରେ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ।

ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ୧୮-୦ ଗୋଲରେ ଘୁମାନହିରା ରାଇଜର୍ସ ଏକାଡେମୀ, ସିଟିଜେନ ହକି ଏକାଦଶ ୩-୨ରେ ଭାଇ ବେହଲୋ ହକି ଏକାଡେମୀ ଭଗତା, ପ୍ରୀତମ ସିଓ୍ବାଚ୍‌ ହକି ଏକାଡେମୀ ସୋନେପତ ୩୯-୦ ଗୋଲରେ ମୁମ୍ବାଇ ସ୍କୁଲ ସ୍ପୋଟର୍‌ସ ଆସୋସିଏଶନ, ହର୍‌ ହକି ଏକାଡେମୀ ୩-୨ରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ‘ବି’, ଅନନ୍ତପୁର ହକି ଏକାଡେମୀ ୩-୧ରେ ଦିଲ୍ଲୀ ହକି ଏବଂ ମଧ୍ୟପ୍ରଦେଶ ହକି ଏକାଡେମୀ ୧୩-୦ ଗୋଲରେ ସ୍ପୋଟର୍‌ସ ଅଥରିଟି ଅଫ୍‌ ଗୁଜରାଟ ଏକାଡେମୀକୁ ପରାସ୍ତ କରିଛି।

Share