ହକି ଇଣ୍ଡିଆ ନିର୍ବାଚନ ସ୍ଥଗିତ: ଅନ୍ତରୀଣ ରହିତାଦେଶ ହଟାଇବାକୁ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୮।୧୧: ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ନିର୍ବାଚନ ଉପରେ ପୂର୍ବରୁ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି । ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଫଳରେ ହକି ଇଣ୍ଡିଆ ନିର୍ବାଚନ ଉପରେ ଲାଗିଥିବା ରୋକ୍ ବଳବତ୍ତର ରହିଛି ।

ସୂଚନା ଅନୁଯାୟୀ, ଓଡ଼ିଶା ସରକାର ହକିର ବିକାଶ ତଥା ହକି ଇଣ୍ଡିଆକୁ ବାର୍ଷିକ ୩୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଏହା ସହିତ ‘ହକି ଆସୋସିଏଶନ୍ ଅଫ୍ ଓଡ଼ିଶା’ ହେଉଛି ହକି ଇଣ୍ଡିଆର ଜଣେ ସ୍ଥାୟୀ ସଦସ୍ୟ । ତେବେ ନିର୍ବାଚନ ପୂର୍ବରୁ ହକି ଆସୋସିଏଶନ୍ ଅଫ୍ ଓଡ଼ିଶାକୁ ସ୍ଥାୟୀ ସଦସ୍ୟ ବଦଳରେ ସହଯୋଗୀ ସଦସ୍ୟ (Associate Member) ଭାବେ ଦର୍ଶାଇ ନୋଟିସ୍ ଜାରି କରାଯାଇଥିଲା । ଏଭଳି ପଦକ୍ଷେପ ଫଳରେ ହକି ଆସୋସିଏଶନ୍ ଅଫ୍ ଓଡ଼ିଶା ନିର୍ବାଚନରେ ନିଜର ଭୋଟିଂ କ୍ଷମତା ହରାଇଥିଲା ।

ଏହି ଅନ୍ୟାୟ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ନିର୍ବାଚନ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ । ପରବର୍ତ୍ତୀ ସମୟରେ ହକି ଇଣ୍ଡିଆ ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ରହିତାଦେଶ ପ୍ରତ୍ୟାହାର ପାଇଁ ଆବେଦନ କରିଥିଲା, ଯାହାକୁ ଶୁଣାଣି କରି ମାନ୍ୟବର ହାଇକୋର୍ଟ ଅଗ୍ରାହ୍ୟ କରିବା ସହ ଖାରଜ କରିଦେଇଛନ୍ତି ।

Dharitri – Odisha’s No.1 Odia Daily

Share