୧୦ କାରିଗର, ହସ୍ତଶିଳ୍ପୀଙ୍କୁ ‘ଓଡ଼ିଶା ହେରିଟେଜ ଆୱାଡର୍‌ସ’

ଭୁବନେଶ୍ୱର,୧୭।୭(ବ୍ୟୁରୋ) – ରାଜ୍ୟର କଳା ଓ ଡିଜାଇନ୍‌ ଐତିହ୍ୟ ପ୍ରତି ପ୍ରମୁଖ ଯୋଗଦାନ ରଖିଥିବା ପ୍ରତିଭାଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସଫଳତାକୁ ନେଉ ଉତ୍ସବ ପାଳନ ପାଇଁ ଶନିବାର ସ୍ଥାନୀୟ ଏକ ହୋଟେଲରେ ଓଡ଼ିଶା ହେରିଟେଜ୍‌ ଆଓ୍ବାର୍ଡସ, ଫ୍ୟାଶାନ ଶୋ’ ଓ ଇଣ୍ଟେରିୟର ଡିଜାଇନ୍‌ ପ୍ରଦର୍ଶନୀ ‘ନବ୍ୟତା-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଡିଜାଇନ (ଆଇଏନ୍‌ଆଇଏଫ୍‌ଡି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତକଳା ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ଆଇଏନ୍‌ଆଇଏଫ୍‌ଡିର ଗ୍ଲୋବାଲ ସିଇଓ ଅନିଲ ଖୋସ୍‌ଲା, ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାଏକ, ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୧୦ଜଣ କାରିଗର ଓ ହସ୍ତଶିଳ୍ପୀଙ୍କୁ ‘ଓଡ଼ିଶା ହେରିଟେଜ ଆଓ୍ବାର୍ଡସ’ ପ୍ରଦାନ କରାଯାଇଥିଲା। ବୁଣାକାର ପାଇଁ ଅକୁଳ ଚନ୍ଦ୍ର ନନ୍ଦୀ, ଗୋବର କଣ୍ଢେଇ କଳାରେ ଶଶିମଣି ମହାରଣା, ତାଳ ପତ୍ର ଖୋଦେଇ ପାଇଁ କାଳୀ ଚରଣ ପଟ୍ଟନାୟକ, ଗଞ୍ଜାମ ବୋମକାଇ ବୁଣାକାର ପାଇଁ ଓକିଳା ନୀଳକଣ୍ଠ, ପୋଷାକ ପ୍ୟାଚ୍‌ୱାର୍କ ପାଇଁ ଖଗେଶ୍ୱର ମଲ୍ଲିକ, ପଥର ଖୋଦେଇ ପାଇଁ ଉଦୟ ମହାନ୍ତି, ବାଉଁଶ କଳାରେ ସରୋଜିନୀ ଦାସ, ଗୋଲ୍ଡେନ ଗ୍ରାସ ୱାର୍କରେ ଦିପ୍ତୀରାଣୀ ବେହେରା, ରଡ୍‌ କଣ୍ଢେଇ ପାଇଁ ମାଗୁଣି କୁଅଁର ଓ ବୁଣାକାର ଭାବେ ଶ୍ରୀକର ମେହେରଙ୍କୁ ସମ୍ମାନିତ କରାଯାଇଛି। ବିଚାରକ ଭାବେ ଦି ଡିଏନ୍‌ ଓ୍ବିଜ୍‌ଡମ୍‌ ଟ୍ରି ଗ୍ଲୋବାଲ ସ୍କୁଲ୍‌ର ପ୍ରତିଷ୍ଠାତା ଟ୍ରଷ୍ଟି ପଞ୍ଚମୀ ମନୁ ଉକିଲ, ଓଡ଼ିଶା ଶିଳ୍ପୀ ମହାସଂଘ ସେକ୍ରେଟାରୀ ପ୍ରିୟରଞ୍ଜନ କର ଓ ଉଦ୍ୟୋଗୀ ଧରିତ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଆୟୋଜିତ ଫ୍ୟାଶନ ଶୋ’ରେ ଫ୍ୟାଶନ ଡିଜାଇନ ଛାତ୍ରୀଛାତ୍ରମାନେ ନିଜ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପୋଷାକ ପିନ୍ଧି କାର୍ଯ୍ୟକ୍ରମକୁ ଅଧିକ ସୁନ୍ଦର କରିଥିଲେ। ଏଥିସହ ଇଣ୍ଟେରିୟର ଡିଜାଇନ ପ୍ରଦର୍ଶନୀରେ ମଧ୍ୟ ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ। ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱର ସେଣ୍ଟର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।