Categories: ଜାତୀୟ

ବଜ୍ରପାତରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧(ପି.ଟି.): ବର୍ଷ ୨୦୨୧ରେ ବନ୍ୟା, ସାମୁଦ୍ରିକ ବାତ୍ୟା, ପ୍ରବଳ ବର୍ଷା, ଭୂସ୍ଖଳନ, ବଜ୍ରପାତ ଆଦି ଭୀଷଣ ପାଗ ଯୋଗୁ ୧,୭୫୦ ଲୋକଙ୍କ ଜୀବନ ଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହା ପଛକୁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ରହିଛି। ଓଡ଼ିଶାରେ ଗତବର୍ଷ ଭୀଷଣ ପାଗ ଯୋଗୁ ୨୨୩ ଜଣଙ୍କୁ ଜୀବନ ଯାଇଛି। ସେହିଭଳି ଓଡ଼ିଶାରେ କେବଳ ବଜ୍ରପାତରେ ସର୍ବାଧିକ ୨୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ରିପୋର୍ଟରେ କୁହାଯାଇଛି।
ଗତବର୍ଷ ଭାରତରେ ଘଡ଼ଘଡ଼ି ବର୍ଷା ଓ ବଜ୍ରପାତରେ ୭୮୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରବଳ ବର୍ଷା ଓ ବନ୍ୟାରେ ୭୫୯ ଏବଂ ବାତ୍ୟାରେ ୧୭୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଭୀଷଣ ପାଗ ଯୋଗୁ ୩୨ ଜଣଙ୍କ ପ୍ରାଣହାନି ଘଟିଥିବା ଆଇଏମ୍‌ଡି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟାରେ ୨୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରାଖଣ୍ଡରେ ୧୪୩, ହିମାଚଳପ୍ରଦେଶରେ ୫୫, କେରଳରେ ୫୩ ଏବଂ ଆନ୍ଧ୍ରପ୍ରଦେଶରେ ୪୬ ଜଣଙ୍କ ଜୀବନ ଯାଇଛି। ବଜ୍ରପାତରେ ମଧ୍ୟପ୍ରଦେଶରେ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିହାରରେ ୮୯, ମହାରାଷ୍ଟ୍ରରେ ୭୬, ପଶ୍ଚିମବଙ୍ଗରେ ୫୮, ଝାଡ଼ଖଣ୍ଡରେ ୫୪, ଉତ୍ତରପ୍ରଦେଶରେ ୪୯ ଏବଂ ରାଜସ୍ଥାନରେ ୪୮ ଜଣ ପ୍ରାଣ ହରାଇଥିଲେ। ପାଣିପାଗ ବିଭାଗ ଅନୁଯାୟୀ ଓଡ଼ିଶାରେ ଭୀଷଣ ପାଗ ୨୨୩ ଜୀବନ ନେଇଥିବାବେଳେ ମଧ୍ୟପ୍ରଦେଶରେ ୧୯୧, ଉତ୍ତରାଖଣ୍ଡରେ ୧୪୯, ବିହାରରେ ୧୦୨, ଉତ୍ତରପ୍ରଦେଶରେ ୯୮, ଗୁଜରାଟରେ ୯୨ ଏବଂ ପଶ୍ଚିମବଙ୍ଗରେ ୮୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କେରଳରେ ୬୭, ରାଜସ୍ଥାନରେ ୬୨, ହିମାଚଳପ୍ରଦେଶରେ ୫୯, ଝାଡ଼ଖଣ୍ଡରେ ୫୭, ଆନ୍ଧ୍ରରେ ୫୦, କର୍ନାଟକରେ ୪୫, ତାମିଲନାଡୁରେ ୩୪, ଜମ୍ମୁ-କଶ୍ମୀରରେ ୩୨, ତେଲଙ୍ଗାନାରେ ୨୫ ଓ ଆସାମରେ ୧୪ ଜଣଙ୍କ ଜୀବନ ଯାଇଛି। ଦିଲ୍ଲୀରେ ମୋଟ ୭ ମୃତ୍ୟୁ ମଧ୍ୟରୁ ପ୍ରବଳ ବର୍ଷା ଓ ବନ୍ୟା ଭଳି ସ୍ଥିତିଜନିତ ମୃତ୍ୟୁସଂଖ୍ୟା ୪ ରହିଛି।
୨୦୨୧ରେ ଭାରତରେ ପଞ୍ଚମ ସର୍ବାଧିକ ଉତ୍ତପ୍ତ ବର୍ଷ ଥିଲା ବୋଲି ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଗତବର୍ଷ ବାର୍ଷିକ ହାରାହାରି ବାୟୁ ତାପମାତ୍ରା ସ୍ବାଭାବିକଠାରୁ ୦.୪୪ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ଥିବା ରେକର୍ଡ କରାଯାଇଛି। ୧୯୦୧ରୁ ପ୍ରତିବର୍ଷ ଦେଶର ହାରାହାରି ଉତ୍ତାପ ଅନୁଧ୍ୟାନ କରାଯାଉଛି। ପୂର୍ବରୁ ୨୦୦୯, ୨୦୧୦, ୨୦୧୬ ଏବଂ ୨୦୧୭ ଉତ୍ତପ୍ତ ବର୍ଷ ଥିଲା। ଶୀତ ଋତୁ ଏବଂ ବର୍ଷାଦିନ ପୂର୍ବରୁ ଉଚ୍ଚ ତାପମାତ୍ରା ଯୋଗୁ ବାର୍ଷିକ ହାରାହାରି ତାପମାତ୍ରା ବୃଦ୍ଧି ପାଇଥିବା ପାଣିପାଗ ବିଭାଗ କହିଛି। ୨୦୧୬ରେ ଦେଶରେ ବାର୍ଷିକ ହାରାହାରି ବାୟୁ ତାପମାତ୍ରା ସ୍ବାଭାବିକଠାରୁ ୦.୭୧୦ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା। ସେହିପରି ୨୦୦୯ ଏବଂ ୨୦୧୭ରେ ଏହା ଯଥାକ୍ରମେ ୦.୫୫୦ ଏବଂ ୦.୫୪୧ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ଥିଲା। ୨୦୧୦ରେ ହାରାହାରି ବାର୍ଷିକ ତାପମାତ୍ରା ସ୍ବାଭାବିକଠାରୁ ୦.୫୩୯ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା।

Share