Categories: ଖେଳ

ଓଡ଼ିଶା-ଗୁଜରାଟ କ୍ବାଲିଫାୟର-୧

ପୁଣେ, ୩୧ା୮ (କ୍ରୀଡ଼ା ପ୍ରତିନିଧି): ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଏକ ଲିଗ୍‌ ମ୍ୟାଚରେ ଓଡ଼ିଶା ଜଗରନଟ୍ସ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ମୁମ୍ବାଇ ଖିଲାଡିଜ୍‌ ନିକଟରୁ୪୮ ପଏଣ୍ଟରେ ହାରି ଯାଇଛି। କ୍ରମାଗତ ୬ଷ୍ଠ ବିଜୟ ପରେ ଓଡ଼ିଶା ଦଳର ଏହା ପ୍ରଥମ ପରାଜୟ। ମାତ୍ର ପୂର୍ବରୁ ପ୍ଲେ-ଅଫ୍‌ରେ ପ୍ରବେଶ କରି ସାରିଥିବା ଏହି ଦଳ ଏବେ ମଧ୍ୟ ପଏଣ୍ଟ ଟେବୁଲର ଶୀର୍ଷସ୍ଥାନରେ ରହିଛି। ଶୀର୍ଷ ୨ ଦଳଭାବେ ପ୍ଲେ-ଅଫ୍‌କୁ ଯାଇଥିବାରୁ ଓଡ଼ିଶା ଜଗରନଟ୍ସ ସେପ୍ଟେମ୍ବର ୨ ତାରିଖରେ କ୍ବାଲିଫାୟର-୧ରେ ଗୁଜରାଟ ଜାଏଣ୍ଟ୍ସକୁ ଭେଟିବ। ଜଗରନଟ୍ସ ୯ ମ୍ୟାଚରୁ ୭ ବିଜୟ ଓ ୨ ପରାଜୟ ସହ ୨୧ ପଏଣ୍ଟ ପାଇ ଶୀର୍ଷସ୍ଥାନ ଅଧିକାର କରିଛି। ଅନ୍ୟପକ୍ଷରେ ଗୁଜରାଟ ୯ ମ୍ୟାଚରୁ ୬ ବିଜୟ ଓ ୩ ପରାଜୟ ସହ ୨୦ ପଏଣ୍ଟ ପାଇଛି।
ବୃହତ୍‌ ପରାଜୟ
ଚଳିତ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଲିଗ୍‌ରେ ଓଡ଼ିଶା ଜଗରନଟ୍ସର ଏହାଥିଲା ସବୁଠାରୁ ବଡ଼ ପରାଜୟ। ମ୍ୟାଚରେ ମୁମ୍ବାଇ ଖିଲାଡିଜ୍‌ ୭୯ ପଏଣ୍ଟ ହାସଲ କରିଥିବାବେଳେ ଓଡ଼ିଶା ଦଳ ୩୧ ପଏଣ୍ଟରେ ସୀମିତ ରହିଥିଲା। ତେବେ ଏହି ପରାଜୟ ଦଳର ଅଗ୍ରଗତିରେ ବାଧା ସୃଷ୍ଟି କରିପାରି ନାହିଁ। ପୂର୍ବ ମ୍ୟାଚ ଗୁଡ଼ିକରେ ଚମତ୍କାର ପ୍ରଦର୍ଶଦ ଦଳକୁ ପ୍ଲେ-ଅଫ୍‌କୁ ନେଇ ସାରିଛି। ଅନ୍ୟ ପକ୍ଷରେ ମୁମ୍ବାଇ ଦଳ ୧୦ଟି ଯାକ ମ୍ୟାଚ ଖେଳି ସାରିଥିବାବେଳେ ମାତ୍ର ୧୨ ପଏଣ୍ଟ ପାଇ ଅଭିଯାନ ଶେଷ କରିଛି। ବୁଧବାର ଓଡ଼ିଶା ଦଳ ଏହାର ଶେଷ ଲିଗ୍‌ ମ୍ୟାଚରେ ତେଲଗୁୁ ଯୋଦ୍ଧାସକୁ ଭେଟିବ।

Share