ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା ଇନ୍ସପେକସନ ବଙ୍ଗଳା (IB) ଗୁଡ଼ିକର ବୁକିଂ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରାଯାଇଛି। ବୁଧବାର ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ‘e-IB’ ର ଶୁଭାରମ୍ଭ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱର ସମେତ ପୁରୀ ଏବଂ କୋଣାର୍କରେ ଥିବା ପୂର୍ତ୍ତ ବିଭାଗର ଡାକବଙ୍ଗଳା ପାଇଁ ଏହି ଅନ୍ଲାଇନ୍ ବୁକିଂ ସୁବିଧା ମିଳିବ।
ଏହି ପୋର୍ଟାଲ ମାଧ୍ୟମରେ ସାଧାରଣ ଜନତା ଓ ସରକାରୀ ଅଧିକାରୀମାନେ ଯେକୌଣସି ସ୍ଥାନରୁ ରୁମ୍ ବୁକ୍ କରିପାରିବେ। ଏଥିସହ ରୁମ୍ର ଉପଲବ୍ଧତା ଯାଞ୍ଚ କରିବା ଏବଂ ବୁକିଂ ବାତିଲ କରିବା ମଧ୍ୟ ସହଜ ହେବ।
ପୂର୍ବରୁ ଚାଲିଥିବା ମାନୁଆଲ୍ ବୁକିଂ ପ୍ରକ୍ରିୟା ବଦଳରେ ଡିଜିଟାଲ୍ ବ୍ୟବସ୍ଥା ଆସିବା ଫଳରେ ଏଥିରେ ଅଧିକ ସ୍ୱଚ୍ଛତା ଆସିବ ଏବଂ ଅଯଥା ବିଳମ୍ବ ଦୂର ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।
ଓଡ଼ିଶାର ଏହି ତିନୋଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏହି ନୂତନ ବ୍ୟବସ୍ଥା ଦ୍ୱାରା ଅତିଥିମାନେ ଶସ୍ତାରେ ଏବଂ ସୁବିଧାରେ ରହିବା ପାଇଁ ସ୍ଥାନ ପାଇପାରିବେ। ଏହା ବ୍ୟତୀତ ମନ୍ତ୍ରୀ ହରିଚନ୍ଦନ କଣ୍ଟ୍ରାକ୍ଟରମାନଙ୍କ ପରିଚାଳନା ପାଇଁ CDMS 3.0 ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି।

