Categories: ଖେଳ

ଟଙ୍କଧରଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଫୁଟବଲ ଏକାଡେମୀର ସଦସ୍ୟ ଟଙ୍କଧର ବାଗ୍‌ଙ୍କ ସହ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ଅନ୍ୟତମ ପ୍ରତିଷ୍ଠିତ ଦଳ ଓଡ଼ିଶା ଏଫ୍‌ସି ଚୁକ୍ତି କରିଛି। ଏହି ଚୁକ୍ତି ଅଢ଼େଇ ବର୍ଷ ପାଇଁ ହୋଇଥିବା ଫ୍ରାଞ୍ଚାଇଜ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯୁବ ଖେଳାଳି ଟଙ୍କଧର ରାଇଟ-ବ୍ୟାକ୍‌ରେ ଖେଳିଥାନ୍ତି। ଏହା ବ୍ୟତୀତ ସେ ସେଣ୍ଟ୍ରାଲ ଡିଫେନ୍ସିଭ ଭୂମିକା ତୁଲାଇବାର ଦକ୍ଷତା ମଧ୍ୟ ରଖିଛନ୍ତି। ୨୦୧୯-୨୦ ସିଜନରେ ଟଙ୍କଧର ଇଣ୍ଡିଆ ଆରୋଜ୍‌ ଦଳରେ ଯୋଗ ଦେଇଥିଲେ। ଏହାପରେ ତାଙ୍କୁ ସିନିୟର ଆରୋଜ ଦଳରେ ସାମିଲ କରାଯାଇଥିଲା। ସେ କ୍ରମାଗତ ଭଲ ପ୍ରଦର୍ଶନ କରିଥିଲେ। ଗତବର୍ଷ ସେ ୨୦ ବର୍ଷରୁ କମ୍‌ ସାଫ୍‌ ଚାମ୍ପିୟନଶିପ୍‌ରେ ଭାରତ ପକ୍ଷରୁ ଖେଳିଥିଲେ। କେବଳ ସେତିକି ନୁହେଁ ନେପାଳ ବିପକ୍ଷରେ ଏକ ଗୋଲ ଦେଇ ଭାରତ ବିଜୟରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଟଙ୍କଧରଙ୍କୁ ପ୍ରଥମ କିଛି ମାସ ସିଷ୍ଟମ ସହିତ ଅଭ୍ୟସ୍ତ ହେବାକୁ ସମୟ ଦିଆଯିବ। ଏହାପରେ ଓଡ଼ିଶା ଏଫ୍‌ସି ରିଜର୍ଭ ଦଳରେ ସାମିଲ କରାଯିବ। ୨୦୨୩-୨୪ ପ୍ରି-ସିଜନରେ ସେ ମୁଖ୍ୟ ଦଳରେ ଯୋଗଦେବେ। ପ୍ରତିଭାସମ୍ପନ୍ନ ଓଡ଼ିଆ ଖେଳାଳିଙ୍କୁ ଓଡ଼ିଶା ଏଫ୍‌ସିରେ ସାମିଲ କରାଯିବାର ଏହା ଅଂଶବିଶେଷ ବୋଲି ପ୍ରକାଶ କରାଯାଇଛି।

Share