Categories: ଖେଳ

ପେଦ୍ରୋଙ୍କ ଗୋଲ୍‌ରେ ଜିତିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୪ା୧୦, (ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର୍‌ ଲିଗ (ଆଇଏସ୍‌ଏଲ) ମ୍ୟାଚରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଚମତ୍କାର ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ୦-୧ରେ ପଛୁଆ ରହିବା ସତ୍ତ୍ବେ ୮୬ ତମ ମିନିଟରେ ପେଦ୍ରୋ ଜୋସ୍‌ ମାରିନ୍‌ଙ୍କ ଗୋଲ୍‌ ବଳରେ ଓଡ଼ିଶା ଦଳ ଚଳିତ ସିଜନରେ ଦ୍ୱିତୀୟ ବିଜୟ ହାସଲ କରିଛି। ଦୀର୍ଘ ୩ ସିଜନ ପରେ ଘରୋଇ ଦର୍ଶକଙ୍କ ଆଗରେ ଖେଳୁଥିବା ଓଏଫ୍‌ସି କେରଳ ବ୍ଲାଷ୍ଟର୍ସକୁ ୨-୧ରେ ପରାସ୍ତ କରିଛି। ଜେରି ମାହ୍ବିମିଙ୍ଗଥାଙ୍ଗା (୫୪) ଓ ପେଦ୍ରୋ ଜୋସ୍‌ ମାରିନ(୮୬) ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଓଏଫ୍‌ସି ବେଶ୍‌ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ବିଶେଷ କରି ଷ୍ଟ୍ରାଇକର ମାହ୍ବିମିଙ୍ଗଥାଙ୍ଗା କେରଳ ବ୍ଲାଷ୍ଟର୍ସ ଗୋଲ ପୋଷ୍ଟ ଉପରେ ଘନଘନ ଆକ୍ରମଣ କରିଥିଲେ। ତେବେ କେରଳ ବ୍ଲାଷ୍ଟର୍ସ ମଧ୍ୟ ଏହାର ଜବାବ ଦେଇଥିଲା। ୩୫ ତମ ମିନିଟରେ ବ୍ଲାଷ୍ଟର୍ସ ପକ୍ଷରୁ ହରମନଜୋତ୍‌ ସିଂ ଖାବ୍ରା ପ୍ରଥମ ଗୋଲ ସ୍କୋର କରିଥିଲେ। ଗୋଲ ଶୁଝାଇବାକୁ ଓଏଫ୍‌ସି ପକ୍ଷରୁ ଆପ୍ରାଣ ପ୍ରୟାସ କରାଯାଇଥିଲେ ହେଁ ପ୍ରଥମ ହାଫ୍‌ରେ ବ୍ଲାଷ୍ଟର୍ସ ୧-୦ରେ ଆଗୁଆ ରହିଥିଲା। ବ୍ରେକ୍‌ ପରେ ଓଡ଼ିଶା ଖେଳାଳିଙ୍କ ପକ୍ଷରୁ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଥିଲା। ୫୪ ମିନିଟରେ ଜେରି ଓଡ଼ିଶା ପକ୍ଷରୁ ଗୋଲଟିକୁ ପରିଶୋଧ କରିଥିଲେ। ଓଏଫ୍‌ସିକୁ ମିଳିଥିବା କର୍ନରକୁ ଜେରି ଶଟ୍‌ ମାରିଥିବା ବେଳେ ପ୍ରଥମ ପ୍ରୟାସକୁ ନିଷ୍ଫଳ କରିଥିଲେ ଗୋଲକିପର ପ୍ରଭଶୁଖନ୍‌ ସିଂ ଗିଲ୍‌। ତେବେ ରିବାଉଣ୍ଡ ଶଟ୍‌କୁ ଗୋଲ ପୋଷ୍ଟକୁ ପଠାଇ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ ଜେରି। ୮୩ ତମ ମିନିଟରେ ଓଏଫ୍‌ସିର ରେନିୟର
ଫର୍ନାଣ୍ଡେସ୍‌ ଏକ ହେଡର କରିଥିଲେ ହେଁ ଏହା ବାରରେ ବାଜି ବାହାରକୁ ଚାଲିଯାଇଥିଲା। ୮୬ ତମ ମିନିଟରେ ସ୍ପେନ୍‌ ଖେଳାଳି ପେଡ୍ରୋ ଜୋସ୍‌ ମାରିନ୍‌ଙ୍କ ଏକ ଶକ୍ତିଶାଳୀ ଶଟ୍‌ ବ୍ଲାଷ୍ଟର୍ସ
ଗୋଲକିପରଙ୍କୁ ପରାସ୍ତ କରିଥିଲା। ‘ଡି’ ବାହାରୁ ଏକ ଶକ୍ତିଶାଳୀ ଶଟ୍‌ ଜରିଆରେ ଗୋଲ କରିବା ସହିତ ଓଏଫ୍‌ସିକୁ ଅଗ୍ରଣୀ ପ୍ରଦାନ କରିଥିଲେ। ୮୭ ତମ ମିନିଟରେ ବିପଜ୍ଜନକ ଖେଳ ପାଇଁ ଭିକ୍ଟର ମୋଙ୍ଗିଲଙ୍କୁ ୟେଲୋ କାର୍ଡ ପ୍ରଦାନ କରିଥିଲେ ରେଫରି। ସମାନ ସମୟରେ ଆଗୁଆ ରହିଥିବା ଓଡ଼ିଶା ରକ୍ଷଣାତ୍ମକ ଖେଳିଥିଲା। ଜେରିଙ୍କ ସ୍ଥାନରେ ଡିଫେଣ୍ଡର ଦେନେଚନ୍ଦ୍ରା ମେଟେଇଙ୍କୁ ସବ୍‌ଷ୍ଟିଚ୍ୟୁଟ କରାଯାଇଥିଲା। ମ୍ୟାଚର ୮୯ତମ ମିନିଟରେ ଗୋଲକିପର ଅମରିନ୍ଦର ସିଂ ଏକ ଚମତ୍କାର ସେଭ୍‌ କରିଥିଲେ। ମ୍ୟାଚର ଇଞ୍ଜୁରି ଟାଇମ୍‌ରେ ବ୍ଲାଷ୍ଟର୍ସକୁ ଏକ କର୍ନର ମିଳିଥିଲେ ହେଁ ଓଏଫ୍‌ସି ଡିଫେଣ୍ଡର ଏହାକୁ ସେଭ୍‌ କରିବାରେ ସମର୍ଥ ହୋଇଥିଲେ। ଏହା ସହିତ ଓଏଫ୍‌ସି ଏହି ମ୍ୟାଚ ଜିତିବାରେ ସମର୍ଥ ହୋଇଥିଲା। କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲ୍‌ କ୍ରିଷ୍ଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପେଦ୍ରୋ ଜୋସ୍‌ ମାରିନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

Share