ଓଡ଼ିଶା ଜିଲା ଯୋଜନା କମିଟି (ସଂଶୋଧନ) ବିଲ୍‌-୨୦୨୨ ବିଧାନସଭାରେ ଗୃହୀତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ମଙ୍ଗଳବାର ଓଡ଼ିଶା ଜିଲା ଯୋଜନା କମିଟି (ସଂଶୋଧନ) ବିଲ୍‌-୨୦୨୨ ବିଧାନସଭାର ଅନୁମୋଦନ ଲାଭ କରିଛି। ସଂଶୋଧିତ ବିଲ୍‌ରେ ଜିଲା ଯୋଜନା କମିଟିର ସଦସ୍ୟମାନଙ୍କୁ ଶୃଙ୍ଖଳିତ ଓ ଦାୟିତ୍ୱବାନ୍‌ କରିବା ଉଦ୍ଦେଶ୍ୟରେ ମୂଳ ଅଧିନିୟମର ଧାରା-୫ରେ ଥିବା ସଦସ୍ୟମାନଙ୍କ ଅପସାରଣ ବ୍ୟବସ୍ଥା ନିମିତ୍ତ ଉଦ୍ଦିଷ୍ଟ ୩ ଖଣ୍ଡ ସହିତ ଆଉ ଏକ ଖଣ୍ଡକୁ ଅନ୍ତର୍ଭୁକ୍ତ କରାଯାଇଛି। ଜିଲାସ୍ତରରେ, ପଞ୍ଚାୟତ ଓ ପୌର ପାଳିକାଗୁଡ଼ିକ ଦ୍ୱାରା ପ୍ରସ୍ତୁତ ଯୋଜନାଗୁଡ଼ିକର ଏକତ୍ରୀକରଣ ଓ ଜିଲା ପାଇଁ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବା ସକାଶେ ଜିଲାସ୍ତରରେ ଜିଲା ଯୋଜନା କମିଟି କରିବା ଲାଗି ସମ୍ବିଧାନର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବିଧାନମଣ୍ଡଳ ଓଡ଼ିଶା ଜିଲା ଯୋଜନା କମିଟି ରୁଲ-୧୯୯୮ ପ୍ରଣୟନ କରିଥିଲେ। ଉକ୍ତ ନିୟମର ଧାରା-୩ ଅନୁଯାୟୀ ପ୍ରତ୍ୟେକ ଜିଲାରେ ଗୋଟିଏ ଜିଲା ଯୋଜନା କମିଟି ଗଠନ ହେବାର ବ୍ୟବସ୍ଥା ରହିଛି। ଏହି ନିୟମର ଉପଧାରା-୩ ଅନୁଯାୟୀ ସର୍ବନିମ୍ନ ୮୦ ପ୍ରତିଶତ ସଭ୍ୟ ଜିଲା ପରିଷଦର ସଭ୍ୟ ଏବଂ ଜିଲାର ମ୍ୟୁନିସିପାଲିଟିଗୁୁଡ଼ିକରୁ ନିର୍ବାଚିତ ହେବାର ବ୍ୟବସ୍ଥା ରହିଛି। ସଭ୍ୟମାନେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ଜନସଂଖ୍ୟା ଅନୁପାତରେ ନିର୍ବାଚିତ ହେବେ। ୨୦୧୮ ଓଡ଼ିଶା ଅଧିନିୟମ ୧୫ ଏବଂ ଓଡ଼ିଶା ଅଧିନିୟମ ୧୬ ଦ୍ୱାରା ସଂଶୋଧିତ ଯଥାକ୍ରମେ ପାୈର ପରିଷଦ ନିୟମ ୧୯୫୦ ଏବଂ ଓଡ଼ିିଶା ମହାନଗର ନିୟମ ୨୦୦୩ ଅନୁଯାୟୀ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷମାନେ କାଉନ୍‌ସିଲର ଏବଂ କର୍ପୋରେଟରମାନଙ୍କ ମଧ୍ୟରୁ ନିର୍ବାଚିତ ହେବା ପରିବର୍ତ୍ତେ ସିଧାସଳଖ ନିର୍ବାଚିତ ହେଉଛନ୍ତି। ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଏବଂ ମହାନଗର ନିଗମର ମେୟରଙ୍କୁ ଜିଲା ଯୋଜନା କମିଟିର ସଭ୍ୟ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ପ୍ରସ୍ତାବ ରହିଛି।