ସବୁ ବର୍ଗକୁ ସାମିଲକରି ପାଳନ ହେବ ଓଡ଼ିଶା ଦିବସ

କୋରାପୁଟ,୨୫।୩(ସ୍ବ.ପ୍ର.): ସବୁ ବର୍ଗକୁ ସାମିଲକରି ଆସନ୍ତା ଓଡ଼ିଶା ଦିବସକୁ କିପରି ମହାଆଡ଼ମ୍ବରରେ ପାଳନ କରାଯିବ ସେ ନେଇ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକରେ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲା ପ୍ରଶାସନ ଓ ଜିଲା ସ୍ମାରକୀ କମିଟିର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ ନେଇ ଅନୁଷ୍ଠିତ ପ୍ରଶାସନର ପ୍ରସ୍ତୁତି ବୈଠକରେ କୋରାପୁଟ ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ ଅଧ୍ୟକ୍ଷତା କରି ଓଡ଼ିଶା ଦିବସକୁ ଆଡ଼ମ୍ବର ଓ ସଫଳତାର ସହ ପାଳନ କରିବାକୁ ନେଇ ସମସ୍ତ ବର୍ଗଙ୍କ ସହଯୋଗ କାମନା କରିଥିଲେ ା
ଏପ୍ରିଲ ୧ ପ୍ରାତଃ ୫ଟାରେ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଉକତ୍ଳ ବନ୍ଦନା କୋରାପୁଟ ସହରରେ ବଜାଯିବ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଜିଲାର ପଦାଧିକାରୀମାନେ ଅତିଥିଭାବେ ଯୋଗଦେଇ ମାଲ୍ୟାର୍ପଣ କରିବେ। ସେହିପରି ଜିଲାର ସମସ୍ତ ବ୍ଲକ, ତହସିଲ, ପଞ୍ଚାୟତ ଓ ଅନ୍ୟ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। କୋରାପୁଟ ଏସ୍‌ପିଙ୍କ ବାସଭବନ ନିକଟରେ ଥିବା ପାର୍କରେ ସ୍ବତନ୍ତ୍ର ଉକତ୍ଳ ପ୍ରଦେଶ ଗଠନର ଅଗ୍ରଦୂତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି କୋରାପୁଟ ଜିଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆରେ ବୋର୍ଡ ଲେଖିବା ନେଇ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ଅନୁରୋଧ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଓଡ଼ିଶା ଦିବସ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ସହ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଜିଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ବିଦ୍ୟାଳୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଉକତ୍ଳ କେଶରୀ ଦାସ, କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ପୌରାଧ୍ୟକ୍ଷ ଭଗବାନ ବାହିନୀପତି, ଜିଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନାଙ୍କ ସମେତ ବହୁ ଜିଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ଶିକ୍ଷୟିତ୍ରୀ ଶିକ୍ଷକ,ସ୍ମାରକୀ କମିଟି ସଭ୍ୟମାନେ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ବରାଜ୍ୟ ଶିଶା ବୈଠକ ପରିଚାଳନା କରିଥିଲେ।