ବେଙ୍ଗାଲୁରୁ,୧୫।୩: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା କଂଗ୍ରେସ ଶିବିରରେ କମ୍ପନ। ବିଧାୟକଙ୍କୁ କିଣିବା ପାଇଁ ବଡ଼ ଧରଣର ପ୍ରୟାସ ହେଉଥିବା ଅଭିଯୋଗ ଆଣିଛନ୍ତି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର। ସେପଟେ ମାର୍ଚ୍ଚ ୧୬ରେ ହେବାକୁ ଥିବା ନିର୍ବାଚନ ପାଇଁ ରବିବାର ରାତିରେ ଭୁବନେଶ୍ୱର ଫେରୁଛନ୍ତି ବିଧାୟକ।
ସୂଚନା ଅନୁସାରେ, ବେଙ୍ଗାଲୁରୁ ନିକଟସ୍ଥ ବିଡାଦି ରିସୋର୍ଟରେ ରହୁଥିବା ଓଡ଼ିଶା କଂଗ୍ରେସ ବିଧାୟକଙ୍କୁ କ୍ରସ-ଭୋଟିଂ ପାଇଁ ପ୍ରଲୋଭିତ କରାଯାଇଛି। ଡି.କେ. ଶିବକୁମାରଙ୍କ କହିବା ଅନୁଯାୟୀ, ଜଣେ ଜଣେ ବିଧାୟକଙ୍କୁ ୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ଭାଜପା ଏହି ‘ଅପରେସନ ଲୋଟସ’ ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି।
ଏହି ଘଟଣାରେ ସୁରେଶ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ବିଧାୟକମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। ତେବେ କଂଗ୍ରେସ ବିଧାୟକ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ନିଜ ଦଳ ପ୍ରତି ଅଟଳ ରହିଛନ୍ତି। ଏ ନେଇ ଥାନାରେ ଏଫଆଇଆର୍ ଦିଆଯିବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିବକୁମାର ସୂଚନା ଦେଇଛନ୍ତି।
ରାଜ୍ୟସଭା ପାଇଁ ଭାଜପା ଜଣେ ଅତିରିକ୍ତ ପ୍ରାର୍ଥୀ ଦେବା ପରେ ଏହି ଘୋଡ଼ାବେପାର ଆଶଙ୍କା ବଢ଼ିଛି। ରବିବାର ରାତିରେ ବିଧାୟକମାନେ ବେଙ୍ଗାଲୁରୁରୁ ଭୁବନେଶ୍ୱର ଅଭିମୁଖେ ବିମାନ ଯୋଗେ ଯାତ୍ରା କରିବେ ଏବଂ ସୋମବାର ସକାଳେ ହେବାକୁ ଥିବା ମତଦାନରେ ଅଂଶଗ୍ରହଣ କରିବେ।

