ଏଥର ମଧ୍ୟ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଚଳିତ ବର୍ଷ ନିଜର ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଶନିବାର ଜନ୍ମଦିନ ପାଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟବାସୀଙ୍କ ଭଲପାଇବା, ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ସେ ସର୍ବଦା ଋଣି ବୋଲି କହିଛନ୍ତି।

ଦୀର୍ଘ ଅଢ଼େଇ ବର୍ଷ ଧରି ମହାମାରୀକୁ ନେଇ ଲୋକମାନେ କଠିନ ସମୟ ଦେଇ ଗତି କରୁଛନ୍ତି। ଏଣୁ ଶୁଭଚିନ୍ତକମାନେ ନବୀନ ନିବାସକୁ ନ ଆସି କରୋନାରେ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ ସହାୟତା କରନ୍ତୁ। ନଚେତ ରକ୍ତଦାନ ଶିବିରର ଆୟୋଜନ କରିଲେ ଖୁସି ହେବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କହିରଖୁଛୁ, ଗତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରି ନ ଥିଲେ। ସେ ନିଜର ସମର୍ଥକ ଏବଂ ବିଜୁ ଜନତା ଦଳର କର୍ମୀମାନଙ୍କୁ ଗରିବମାନଙ୍କୁ ସହାୟତା ଏବଂ ପ୍ଲାଜମା ଦାନ କରିବାକୁ କହିଥିଲେ।