
ଭୁବନେଶ୍ୱର,୧୧।୨: ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ପାଇଁ ଓଡିଶା ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ନବମ ଏବଂ ଦଶମ ପିଲାମାନଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ। ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏ ମଧ୍ୟାହ୍ନ ଭୋଜନ ମିଳୁଥିବା ବେଳେ ଏଥିରେ ଏବେ ଏହି ଦୁଇ ଶ୍ରେଣୀ ସୁବିଧା ପାଇବେ। କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ଏହି ଅବସରରେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍କୁଲ ଛାଡିବା ବନ୍ଦ କରିବାକୁ ସରକାର ଯଥାସାଧ୍ୟ ଚେଷ୍ଟା କରିବେ। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ସେ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରତୀକ ବିଦ୍ୟାଲୟ ପ୍ରତିଷ୍ଠା ପାଇଁ ସରକାର ୪-୫ କୋଟି ଟଙ୍କା ଖର୍ଚ୍ଚ କରିବେ।
ପ୍ରାଥମିକ ଶିକ୍ଷା ଉପରେ ଧ୍ୟାନ ନ ଦେଇଥିବାରୁ ସେ ପୂର୍ବ ବିଜେଡି ସରକାରଙ୍କୁ ନିନ୍ଦା କରିଛନ୍ତି। ଏହା ବଦଳରେ ପୂର୍ବ ସରକାର 5T କାର୍ଯ୍ୟକ୍ରମ ନାମରେ ବିଦ୍ୟାଳୟଗୁଡ଼ିକୁ ରଙ୍ଗ ବୋଲିବାରେ ବ୍ୟସ୍ତ ଥିଲେ।