ଭୁବନେଶ୍ବର,୨।୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଏଏସ୍ (OAS), ଓଏଫ୍ଏସ୍ (OFS) ଏବଂ ଓଆର୍ଏସ୍ (ORS) ଭଳି ଗୁରୁତ୍ୱପୂର୍ଣ୍ଣ ପଦବି ନ ରହିବା ରାଜ୍ୟର ଲକ୍ଷାଧିକ ଆଶାୟୀଙ୍କୁ ଗଭୀର ନିରାଶ କରିଛି। ମୋଟ୍ ୭ଟି ସେବାରେ କେବଳ ୩୧୪ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଓଏଏସ୍ ପଦବି ନ ରହିବା ପଛରେ ମୁଖ୍ୟ କାରଣ ହୋଇଥିବା କୁହାଯାଉଛି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ପ୍ରସ୍ତୁତ ଓଡ଼ିଶା ସିଭିଲ୍ ସର୍ଭିସ୍ ମଡେଲ୍ କ୍ୟାଡର୍ ରୁଲ୍କୁ ଅର୍ଥ ଓ ରାଜସ୍ୱ ବିଭାଗ ଅବମାନନା କରିବା ଫଳରେ ବିବାଦ କୋର୍ଟରେ ପହଞ୍ଚିଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅପାରଗତା ଏବଂ ସାଧାରଣ ପ୍ରଶାସନ ବିଭାଗର ଖାମଖିଆଲ ଗୁଣ ଯୋଗୁଁ ୩୦୦ରୁ ଅଧିକ ଓଏଏସ୍ଙ୍କୁ ପଦୋନ୍ନତି ମିଳୁନାହିଁ। ଫଳରେ ମୂଳ ପଦବି ଖାଲି ହେଉନାହିଁ ଏବଂ ନୂଆ ପଦବି ସୃଷ୍ଟି ହେଉନାହିଁ। ଫଳରେ ସାଧାରଣ ପ୍ରଶାସନ ବିଭାଗ ଓଏଏସ୍, ଓଆର୍ଏସ୍, ଓଏଫ୍ଏସ୍ ପଦ ଖାଲି ନଥିବା ଦର୍ଶାଇ ଓପିଏସ୍ସିକୁ ତାଲିକା ଦେଇଥିଲା, ଯାହାକୁ ଭିତ୍ତି କରି ବିଜ୍ଞପ୍ତି ପ୍ରକାଶ ପାଇଛି।
ତେବେ ପ୍ରକାଶ ପାଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ୩୧୪ଟି ପଦବି ମଧ୍ୟରେ ଓଟିଏଏସ୍ (OTAS) ଗ୍ରୁପ୍-ବିରେ ସର୍ବାଧିକ ୧୭୬ଟି ପଦବି ରହିଛି। ଓପିଏସ୍ (OPS) ଗ୍ରୁପ୍-ଏରେ କେବଳ ୧୨ଟି ପଦବି ରହିଛି। ଓଡ଼ିଶା ଲେବର ସର୍ଭିସ୍ ୩୨ଟି ପଦବି ରହିଛି।
ଏହି ୩୧୪ଟି ପଦବି ମଧ୍ୟରୁ ୧୧୫ଟି ପୂର୍ବ ବର୍ଷଗୁଡ଼ିକରେ ପୂରଣ ହୋଇନଥିବା (ଅର୍ଥାତ୍ ଯୋଗ ଦେଇନଥିବା) ପଦବି ଅଟେ। ମାତ୍ର ୧୯୯ଟି ପଦବି ଅବସର ପରେ ଖାଲି ପଡ଼ିଥିବା ଦର୍ଶାଯାଇଛି।
ଓପିଏସ୍ସି ଅଧ୍ୟକ୍ଷ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ ସାଧାରଣ ପ୍ରଶାସନ ବିଭାଗ ଯେଉଁ ତାଲିକା ଦେଇଥିଲା, ତାକୁ ନେଇ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପରିସ୍ଥିତିରେ ଆଶାୟୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଠୋସ୍ ପଦକ୍ଷେପ ନେବାକୁ ଦାବି ହେଉଛି।


