ଭୁବନେଶ୍ୱର,୧୧।୧: ଓଡ଼ିଶାରେ ପୁଣି ବଢ଼ିବ ଶୀତର ପ୍ରକୋପ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି। ତେବେ ଆସନ୍ତା ସାତ ଦିନ ପାଇଁ କୌଣସି ଜିଲାକୁ ଶୀତଲହରି ସତର୍କ ସୂଚନା ଜାରି କରାଯାଇ ନାହିଁ।
ଜାନୁଆରୀ ୧୨ ତାରିଖ ରାତିରୁ ଶୀତର ପ୍ରଭାବ ପୁଣି ବଢ଼ିବା ସମ୍ଭାବନା ରହିଛି। ରବିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ଆକାଶ ମେଘାଚ୍ଛନ୍ନ ରହିବା କାରଣରୁ ରାତିର ତାପମାତ୍ରାରେ କିଛିଟା ବୃଦ୍ଧି ଘଟିଥିଲା। ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୫.୭ ଡିଗ୍ରୀ ଏବଂ କଟକରେ ୧୪.୪ ଡିଗ୍ରୀ ରେକର୍ଡ କରାଯାଇଛି।
ତେବେ ଜାନୁଆରୀ ୧୦ ତାରିଖ ସକାଳେ ଭୁବନେଶ୍ୱରର ତାପମାତ୍ରା ୯.୨ ଡିଗ୍ରୀକୁ ଖସି ଆସିଥିଲା, ଯାହା ଗତ ୨୨ ବର୍ଷ ମଧ୍ୟରେ ସହରର ସବୁଠାରୁ ଥଣ୍ଡା ରାତି ଥିଲା। ସେହିପରି କଟକରେ ଜାନୁଆରୀ ୯ରେ ୮.୬ ଡିଗ୍ରୀ ତାପମାତ୍ରା ରହିଥିଲା, ଯାହା ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଥିଲା।
ରବିବାର ସକାଳ ସୁଦ୍ଧା ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫°C ଥିବା ବେଳେ ଫୁଲବାଣୀରେ ୭°C ଏବଂ ରାଉରକେଲାରେ ୮°C ରେକର୍ଡ କରାଯାଇଛି। ଆଗାମୀ ସପ୍ତାହ ପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇ ନଥିଲେ ହେଁ, ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।


