ଅପରାଜିତାଙ୍କ ମନ୍ତବ୍ୟକୁ ନେଇ ଝଡ଼: ଖୋର୍ଦ୍ଧାରେ ଅସନ୍ତୁଷ୍ଟ କର୍ମୀଙ୍କ ମେଳି, ଏକାଠି ହେଲେ କାଳୁଙ୍କ ସମର୍ଥକ

ଖୋର୍ଦ୍ଧା,୨୯ା୩ (ପ୍ରଭାତ ପାଣିଗ୍ରାହୀ) : ଭୁବନେଶ୍ୱର, ବେଗୁନିଆ ପରେ ଏବେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏମ୍‌ପି ଅପରାଜିତାଙ୍କୁ ଦଳୀୟ କର୍ମୀ ବିରୋଧ କରିଛନ୍ତି। ଅପରାଜିତାଙ୍କ ମନ୍ତବ୍ୟକୁ ନେଇ କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୋର୍ଦ୍ଧା ମଲିପଡା ସ୍ଥିତ ଭାଜପା କାର୍ଯ୍ୟାଳୟରେ  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟକ ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ନେତୃତ୍ୱରେ ଶୁକ୍ରବାର ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକରେ ଶତାଧିକ  କର୍ମୀ ଏକାଠି ହୋଇଥିଲେ। ଅପରାଜିତାଙ୍କ ଦଳ ଓ କର୍ମୀ ବିରୋଧୀ ଏବଂ ମନମୁଖୀ କାର୍ଯ୍ୟକୁ ସେମାନେ ସମାଲୋଚନା କରିଛନ୍ତି।
ଗୁରୁବାର ଟାଙ୍ଗୀ ବ୍ଳକ ଲୋଣ୍ଡୋ ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରୁ ବହିଷ୍କୃତ ତଥା ସଦ୍ୟ ଭାଜପାରେ ଯୋଗଦେଇଥିବା ବିବାଦୀୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ଦାୟିତ୍ୱ ଦେବାକୁ ଅପରାଜିତା ଘୋଷଣା କରିଥିଲେ। ଏହାକୁ ନେଇ କାଳୁପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗତ ୨୦୧୯ ନିର୍ବାଚନରେ ଭାଜପାରୁ କାଳୁଚରଣ ପ୍ରାର୍ଥୀ ହୋଇ ୭୪ହଜାର ଭୋଟ ପାଇଥିବା ବେଳେ ଏମ୍‌ପି ଅପରାଜିତାଙ୍କୁ  ମଧ୍ୟ ବିପୁଳ ଜନସମର୍ଥନ ମିଳିଥିଲା। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ ପାଇଁ କାଳୁ ସଙ୍ଗଠନ କରୁଛନ୍ତି। ୨୦୨୨ ପଞ୍ଚାୟତ ଓ ଏନ୍‌ଏସି ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନ ମଙ୍ଗ ଧରିଥିଲେ। ୨୦୨୪ ପାଇଁ ସେ ପୁଣି ଦଳରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି। ମାତ୍ର ନିକଟରେ ଯୋଗଦେଇଥିବା ପ୍ରଶାନ୍ତଙ୍କୁ ଦାୟିତ୍ୱ ଦେବା ନେଇ ଅପରାଜିତାଙ୍କ ଘୋଷଣା ପରେ କାଳୁଙ୍କ ସମର୍ଥକଙ୍କ ମହଲରେ ଅସନ୍ତୋଷ ବହ୍ନି ଜଳିଛି। ଦଳରେ ନୂତନ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲେ, ଆଗାମୀ ଦିନରେ ଏହାର କଡା ଜବାବ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ତେବେ ଏନେଇ କାଳୁଚରଣ ଅପରାଜିତାଙ୍କ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଦାୟିତ୍ୱ ଘୋଷଣା ବିରୋଧରେ ମେଳି ହୋଇଥିବା ପ୍ରଶ୍ନକୁ ଏଡାଇ ଯାଇଥିବା ବେଳେ ଦୀର୍ଘଦିନ ପରେ କର୍ମୀ ସମାବେଶ ଆୟୋଜନ ହୋଇଥିବା କହିଥିଲେ। ହେଲେ ଦଳରେ କାଳୁଙ୍କ ପରିବର୍ତ୍ତେ ବିଧାୟକ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ  ଦଳୀୟ ଟିକଟ ଦିଆଗଲେ ଶତାଧିକ କାଳୁ ସମର୍ଥକ ଦଳରୁ ସମୂହ ଇସ୍ତଫା ଦେବେ ବୋଲି ଆଲୋଚନା ହୋଇଥିବା ଜଣାପଡିଛି।