ବିଜେଡିରୁ ଇସ୍ତଫା ଦେଲେ ଅସିତ ପଟ୍ଟନାୟକ

ଭଦ୍ରକ,୪।୪(ସନାତନ ରାଉତ): ଭଦ୍ରକ ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ (ବୁଲୁ ) ବୁଧବାର ରାତିରେ ବିଜେଡିରୁ ଇସ୍ତଫା ଦେଇଛନ୍ତି l ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି l ଦଳରେ ତାଙ୍କୁ କ୍ରମାଗତ ଭାବେ ଅବହେଳା କରାଯାଉଥିବାରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି l

ଗତ ୨୦୧୯ ନିର୍ବାଚନରେ ବିଜେଡି ଅସିତଙ୍କୁ ଭଦ୍ରକ ବିଧାନସଭା ପାଇଁ ଟିକେଟ ନ ଦେଇ ନୂଆ ମୁହଁକୁ ଟିକେଟ ଦେଇଥିଲା । ଦଳର ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ ପୁଣି ୨୦୨୪ ନିର୍ବାଚନରେ ତାଙ୍କୁ ଅଣଦେଖା କରାଯାଇ ଥିବାରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି l

ତେବେ ଭଦ୍ରକ ନିର୍ବାଚନମଣ୍ଡଳୀରେ ଅସିତଙ୍କର ଦବ୍‌ଦବା ରହିଛି l ଗତ ପୌର ନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରି ସେ ବିଜୟୀ କରାଇଥିଲେ l ଏବେ ସେ ତାଙ୍କର ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି l