Categories: ଖେଳ

ରାଜସ୍ଥାନକୁ ୧୩-୧ରେ ହରାଇଲା ଓଡ଼ିଶା

କାକିନାଡ଼ା, ୨୦ା୨: ଏଠାରେ ଚାଲିଥିବା ୧୩ତମ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍‌ରେ ରବିବାର ଓଡ଼ିଶା, କର୍ନାଟକ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ବିହାର ସେମାନଙ୍କ ମ୍ୟାଚ୍‌ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ ସମ୍ଭାବନାକୁ ଦୃଢ଼ୀଭୂତ କରିଛନ୍ତି। ଦିନର ପ୍ରଥମ ପୁଲ୍‌ ‘ଏ’ ମ୍ୟାଚ୍‌ରେ ଓଡ଼ିଶା ୧୩-୧ ଗୋଲ୍‌ରେ ରାଜସ୍ଥାନକୁ ହରାଇ ଦେଇଛି।

ଦଳ ପକ୍ଷରୁ ପୁନମ୍‌ ବାର୍ଲା (୧ମ, ୩ୟ, ୨୯ତମ, ୪୬ତମ ଓ ୪୭ତମ ମିନିଟ୍‌) ୫ଟି ଗୋଲ୍‌ ସ୍କୋର କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆଟେନ ଟପ୍ପୋ, ଅସ୍ମିତା ବାର୍ଲା, ରିଙ୍କି ଟପ୍ପୋ ଦୁଇଟି ଲେଖାଏଁ ଏବଂ ସରିତା ଓ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଅନୁପା ବାର୍ଲା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପୁଲ୍‌ ‘ବି’ରେ ଚଣ୍ଡିଗଡ଼ ବିପକ୍ଷରେ କର୍ନାଟକ ୨-୧ ଗୋଲ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ଗ୍ରୁପ୍‌ ସି’ରେ ଛତିଶଗଡ଼ ୪-୧ ଗୋଲ୍‌ରେ ଉତ୍ତରାଖଣ୍ଡକୁ ହରାଇ ଦେଇଛି। ପୁଲ୍‌ ଜି’ରେ ମଧ୍ୟପ୍ରଦେଶ ସମାନ ଗୋଲ୍‌ ବ୍ୟବଧାନରେ ମଣିପୁରକୁ ପରାସ୍ତ କରିଛି। ଦିନର ଶେଷ ମ୍ୟାଚ୍‌ ଗ୍ରୁପ୍‌ ଡି’ରେ ବିହାର ୨-୦ ଗୋଲ୍‌ରେ ଆସାମକୁ ପରାଜିତ କରିଛି।

 

Share