Categories: ଖେଳ

ଓଡ଼ିଶା ୪-୧ରେ ଗୋଆକୁ ହରାଇଲା

ଭୁବନେଶ୍ୱର,୧୩ା୨(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୭୬ତମ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟର ଅନ୍ତିମ ରାଉଣ୍ଡ ମୁକାବିଲାରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଦଳ ୪-୧ ଗୋଲରେ ଗୋଆକୁ ପରାସ୍ତ କରିଛି। ମ୍ୟାଚର ୧୧ତମ ମିନିଟରେ ବିକାଶ କୁମାର ସାହୁ ଗୋଟିଏ ଗୋଲ ଦେଇ ଓଡ଼ିଶାକୁ ଅଗ୍ରଣୀ କରିଥିଲେ। ୨୮ତମ ମିନିଟରେ ଚନ୍ଦ୍ର ମୋହନ ମୁର୍ମୁ ଏହି ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିବାବେଳେ ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ ୪୫+୧ ମିନିଟରେ ଗୋଆର ମହମ୍ମଦ ଫହିଜ ପେନାଲ୍ଟି ମାଧ୍ୟମରେ ଗୋଟିଏ ଗୋଲ ପରିଶୋଧ କରିଥିଲେ।

ତେବେ ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ଏହାର ଆଧିପତ୍ୟ ବଳବତ୍ତର ରଖିଥିଲା। ୭୯ତମ ମିନିଟରେ ବଦଳ ଖେଳାଳି ରାହୁଲ ମୁଖି ଓ ୯୦+୬ ମିନିଟରେ ଆନନ୍ଦ ଓରାମ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହି ପର୍ଯ୍ୟାୟରେ ଓଡ଼ିଶା ଏହାର ପ୍ରଥମ ମ୍ୟାଚକୁ ମହାରାଷ୍ଟ୍ର ସହିତ ୧-୧ ଗୋଲରେ ଡ୍ର ରଖିଥିଲା। ୭ମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କର୍ନାଟକ ୧-୦ ଗୋଲରେ କେରଳକୁ ହରାଇ ଦେଇଛି। ବିଜୟୀ ଦଳ ପକ୍ଷରୁ ଅଭିଷେକ ଶଙ୍କର ପଓ୍ବାର ୨୦ତମ ମିନିଟରେ ଦେଇଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ୨ ମ୍ୟାଚରୁ ଏହା ମଧ୍ୟ ଥିଲା କର୍ନାଟକର ପ୍ରଥମ ବିଜୟ।

୭ମ ବାଟାଲିୟନ ପଡ଼ିଆରେ ଅନୁଷ୍ଠିତ ଅନ୍ୟ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପଞ୍ଜାବ ୪-୩ ଗୋଲରେ ମହାରାଷ୍ଟ୍ରକୁ ହରାଇ ଦେଇଛି। ପଞ୍ଜାବ ପକ୍ଷରୁ କମଲଦୀପ ୨୧, ଜୋଗିନ୍ଦର ସିଂ ୫୩, ରୋହିତ ଶେଖ ୭୧ ଓ ପରବଜିତ ସିଂ ୯୦+୧ ମିନିଟରେ ଏବଂ ମହାରାଷ୍ଟ୍ର ଖେଳାଳିଙ୍କ ମଧ୍ୟରେ ଅର୍ମାଶ ନାସିର ଅନସାରି ୩୯, ହିମାଂଶୁ ପାଟିଲ ୬୫ ଓ ପବନ ବିଜୟ ମାଲି ୬୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚରେ ମଙ୍ଗଳବାର ପଞ୍ଜାବକୁ ଭେଟିବ। କ୍ୟାପିଟାଲ ଫୁଟବଲ ଆରେନାରେ ଏହି ମ୍ୟାଚ ଅପରାହ୍ନ ୩ଟାରେ ଅନୁଷ୍ଠିିତ ହେବ।

Share