ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା ଜିଲାରେ ନବ ନିର୍ମାଣ କୃଷକ ସଂଗଠନର ନେତୃତ୍ବ ନେବା ପାଇଁ ନେତା ନ ଥିବା ଯୋଗୁ ବନ୍ଦ ପ୍ରଭାବ ଶୂନ ହୋଇଥିବା ଜଣାପଡିଛି । ବନ୍ଦକୁ ସହଯୋଗ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ବିଧାୟକ ଏବଂ ନେତା ମାନଙ୍କୁ ଚିଠି ଆସିଥିଲେ ମଧ୍ୟ କୃଷକ ସଂଗଠନର ନେତା ନ ଥିବାରୁ ଆମେ କାହାକୁ ସମର୍ଥନ କରିବୁ ବୋଲି ପ୍ରତିକ୍ରିୟା ରଖିଥିଲେ। ଏଭଳିକି ସକାଳେ ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା, ଆଇଏନଟିୟୁସି ଜିଲା ସଭାପତି ଭବାନୀ ଶଙ୍କର ଜେନା ଓ କଂଗ୍ରେସ କର୍ମୀମାନେ ରାୟଗଡ଼ା ସହରରେ ନବ ନିର୍ମାଣ କୃଷକ ସଂଘକୁ ଅପେକ୍ଷା କରିଥିଲେ ହେଁ କାହାରି ଦେଖା ନ ଥିଲା।
ଜିଲାର ୩ଟି ଯାକ ନିର୍ବାଚନମଣ୍ଡଳୀରେ ବନ୍ଦ ପାଳନ ସଫଳ ହୋଇ ନ ଥିଲା । ଧାନକିଣା ଅବ୍ୟବସ୍ଥା,ଯାନବାହାନ ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ଫାଇନ ଆଦାୟ ଓ ଟାଟା କମ୍ପାନୀର ମନମାନୀ ବିରୋଧରେ ଆଜି ନବନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରା ଦେଇଥିଲା । ଏହି ବନ୍ଦକୁ କଂଗ୍ରେସ ସମର୍ଥନ କରିବ ବୋଲି କହିଥିଲା ବେଳେ ସିପିଆଇ(ଏମ) ଓ ବିଭିନ୍ନ ସାମାଜିକ ସଂଗଠନ ଏହାକୁ ସମର୍ଥନ କରିବେ ବୋଲି କହିଥିଲେ । କିନ୍ତୁ ରାୟଗଡା ଜିଲାରେ ବ୍ୟବସାୟିକ ପ୍ରତିଷ୍ଠାନ,ବସ ଚଳାଚଳ,ବ୍ୟାଙ୍କ,ବିଦ୍ୟାଳୟ,କଲେଜ ଖୋଲା ରହିଥିବା ଦେଖିବାକୁ ମିଳିଥିଲା ।

