Categories: ଖେଳ

ଓଡ଼ିଶାର ଆହାନ ନଂ.୧

ଭୁବନେଶ୍ୱର,୯।୧୨(ତପନ ସ୍ବାଇଁ): ଓଡ଼ିଶାର ପ୍ରତିଭାସମ୍ପନ୍ନ ବାଳିକା ଟେନିସ ଖେଳାଳି ଆହାନ ସର୍ବଭାରତୀୟ ଟେନିସ ଆସୋସିଏଶନ(ଏଆଇଟିଏ)ର ୧୪ ବର୍ଷରୁ କମ୍‌ ବର୍ଗରେ ନମ୍ବର ଓ୍ବାନ ହେବାର ଗୌରବ ଅର୍ଜନ କରିଛନ୍ତି। ନିକଟରେ ଏଆଇଟିଏ ପକ୍ଷରୁ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଆହାନ ୧୨୫୯.୨୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ହରିୟାଣାର ପ୍ରାଚୀ ମଲିକ ଦ୍ୱିତୀୟ ଓ ତାମିଲନାଡ଼ୁର ହରିଥଶ୍ରୀ ଭେଙ୍କଟେଶ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ଅଭିପ୍‌ସା ଦେହୁରି ୧୧ତମ ସ୍ଥାନରେ ରହିଛନ୍ତି। ପୂର୍ବରୁ ୧୨ ବର୍ଷରୁ କମ୍‌ ବର୍ଗରେ ନଂ-୧ ରହିସାରିଥିବା ଆହାନ ଏବେ ୧୪ ବର୍ଷରୁ କମ୍‌ ବର୍ଗରେ ସେହି ସଫଳତାକୁ ଦୋହରାଇବାରେ ସକ୍ଷମ ହୋଇଛନ୍ତି। ଆହାନ ଏସ୍‌ବେସ୍‌ ଟେନିସ ଏକାଡେମୀରେ ରାଜ୍ୟର ପ୍ରତିଷ୍ଠିତ କୋଚ୍‌ ଅଜୟ ନିଶଙ୍କଙ୍କଠାରୁ ଟ୍ରେନିଂ ନେଉଛନ୍ତି। ଟେନିସ କୋର୍ଟରେ ଆହାନଙ୍କର ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ବେଙ୍ଗାଲୁରୁଠାରେ ନିକଟରେ ଶେଷ ହୋଇଥିବା ୧୪ ବର୍ଷରୁ କମ୍‌ କେଏସ୍‌ଏଲ୍‌ଟିଏ ଏସିଆନ ଟେନିସ ଟୁର୍ନାମେଣ୍ଟରେ ସେ ଦ୍ୱିମୁକୁଟ ହାସଲ କରିଛନ୍ତି। ବାଳିକା ସିଙ୍ଗଲ୍ସ ଫାଇନାଲରେ ସେ ତାମିଲନାଡ଼ୁର କାର୍ତ୍ତିକ ପଦମ୍‌କୁମାରଙ୍କୁ ୬-୨, ୬-୦ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ସେହିପରି ଡବଲ୍ସରେ ସେ ପଦମ୍‌କୁମାରଙ୍କୁ ସାଥିକରି ଫାଇନାଲରେ ତାମିଲନାଡ଼ୁର ଶ୍ରୀନିତି ଚୌଧୁରୀ ଓ ତେଲଙ୍ଗାନାର ଜାହ୍ନବୀ ତାମ୍ମିନିଦିଙ୍କୁ ୬-୧, ୬-୧ ସେଟ୍‌ରେ ହରାଇ ଟାଇଟଲ ହାସଲ କରିଛନ୍ତି।

Share