Categories: ଜାତୀୟ

ପୁଣି ସୁପ୍ରିମକୋର୍ଟ ଗଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୧ : କୋରାପୁଟ ଜିଲାର କୋଟିଆ ଅଞ୍ଚଳ ସୀମା ବିବାଦକୁ ନେଇ ଓଡ଼ିଶା ସରକାର ବୁଧବାର ପୁଣିଥରେ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆନ୍ଧ୍ର ସହ ଦୀର୍ଘବର୍ଷ ଧରି ଲାଗିରହିଥିବା ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ନିମନ୍ତେ କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ରାୟ ଦେବା ଲାଗି ଓଡ଼ିଶା ସରକାର ସାନି ଆବେଦନ କରିଛନ୍ତି। କୋଟିଆରେ ରହିଥିବା ସମସ୍ତ ଗ୍ରାମ ଓଡ଼ିଶା ସୀମା ଭିତରେ ବୋଲି ଅଦାଲତ ଘୋଷଣା କରନ୍ତୁ। ରାଜ୍ୟ ସରକାରଙ୍କ ଅଧିକାରୀମାନେ ଯେପରି ଉକ୍ତ ଅଞ୍ଚଳରେ ବିନା ବାଧାରେ ସ୍ବାଧୀନ ଭାବେ କାର୍ଯ୍ୟ କରିପାରିବେ, ସେଥିପାଇଁ ଅଦାଲତ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଓଡ଼ିଶା ଅନୁରୋଧ କରିଛି। ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ଅଧିକାରୀମାନଙ୍କୁ ପ୍ରବେଶ ଅନୁମତି ନ ଦେବା ଲାଗି ଓଡ଼ିଶା ସରକାର ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି। ଓଡ଼ିଶାର ଏହି ପଦକ୍ଷେପକୁ କୋଟିଆ ସଂଗଠନ ଏବଂ କୋରାପୁଟ ବିକାଶ ପରିଷଦ ସମର୍ଥନ ଜଣାଇଛି। ସୂଚନାଯୋଗ୍ୟ, ଉଭୟ ରାଜ୍ୟ ସରକାର ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କୋଟିଆ ସୀମା ବିବାଦର ସମାଧାନ ସୂତ୍ର ବାହାର କରିବା ଲାଗି ଗତବର୍ଷ ଅଗଷ୍ଟରେ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ।

Share