Categories: ଖେଳ

ପ୍ରଥମ ଦିନରେ ଓଡ଼ିଶା ୯୬/୨

ଭୁବନେଶ୍ୱର,୨୫ା୧(ସ୍ପୋଟର୍‌ସ ବ୍ୟୁରୋ):କୋଲକାତାର ଇଡେନ ଗାର୍ଡେନରେ ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ୨ ଉଇକେଟ ହରାଇ ୯୬ ରନ୍‌ ସଂଗ୍ରହ କରିଛି। ଖରାପ ଆଲୋକ କାରଣରୁ ଦିନରେ ମାତ୍ର ୩୫ ଓଭର ଖେଳ ସମ୍ଭବ ହୋଇଥିଲା। ଓଡ଼ିଶା ଏହି ମ୍ୟାଚରେ କାର୍ତ୍ତିକ ବିଶ୍ୱାଳ, ଅଭିଷେକ ରାଉତ ଓ ଜୟନ୍ତ ବେହେରାଙ୍କୁ ବାଦ୍‌ ଦେଇ ସନ୍ଦୀପ ପଟ୍ଟନାୟକ, ରାକେଶ ପଟ୍ଟନାୟକ ଓ ବସନ୍ତ ମହାନ୍ତିଙ୍କୁ ଖେଳାଇଥିଲା। ଟସ୍‌ ଜିତି ବେଙ୍ଗଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅନୁରାଗ ଷଡଙ୍ଗୀ(୧୫) ଓ ଶାନ୍ତନୁ ମିଶ୍ର (୪୧*) ପ୍ରଥମ ଉଇକେଟରେ ୨୬ ରନ୍‌ ଯୋଡିଥିଲେ। ଆକାଶଦୀପ୍‌ଙ୍କ ବଲରେ ଅନୁରାଗ ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ସନ୍ଦୀପ ପଟ୍ଟନାୟକ (୩୦) କ୍ରିଜ୍‌ରେ ଯୋଗ ଦେବା ସହିତ ଦ୍ୱିତୀୟ ଉଇକେଟରେ ୫୭ ରନ ଯୋଡିଥିଲେ। ୪୬ ବଲ୍‌ ଖେଳି ୬ ଚୌକା ମାରି ସେ ଇଶାନ ପୋରେଲଙ୍କ ଶିକାର ହୋଇଥିଲେ। ଶାନ୍ତନୁ ଷ୍ଟମ୍ପ ଅପସାରଣ ବେଳକୁ ୧୦୬ ବଲ୍‌ ଖେଳି ୬ ଚୌକା ମାରି ବ୍ୟାଟିଂ କରୁଥିବା ବେଳେ ୯ ରନ୍‌ କରି ଅଧିନାୟକ ଶୁଭ୍ରାଂଶୁ ସେନାପତି ବ୍ୟାଟିଂ କରୁଛନ୍ତି। ବେଙ୍ଗଲ ପକ୍ଷରୁ ଆକାଶ ଦୀପ୍‌ ଓ ଇଶାନ ପୋରେଲ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଗ୍ରୁପ୍‌ ଡି’ରେ ୩୨ ପଏଣ୍ଟ ସହିତ ବେଙ୍ଗଲ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଓଡ଼ିଶା ୮ ପଏଣ୍ଟ ସହିତ ୭ମ ସ୍ଥାନରେ ରହିଛି।

Share