ଦାଦନ ଖଟିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ, ଗାଁରେ ଶୋକର ଛାୟା

ଗୁଡାରି,୨୬।୧୦(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମପଂଚାୟତ ଅନ୍ତର୍ଗତ ଗୌଡ଼ ଢ଼େପାଗୁଡା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୁଦୂର ଗୁଜରାଟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣଙ୍କ ହେଲେ ୨୩ ବର୍ଷୀୟ ହେମାନନ୍ଦ ନିମାଲ (ଶିବା )।

ଟିଟିମିରି ନିମାଲ ଓ ପତ୍ନୀ ଗୋଲାପୀ ନିମାଲଙ୍କ ପୁତ୍ର ଥିଲେ ସ୍ବର୍ଗତ ହେମାନନ୍ଦ। କୌଣସି ଏକ କାର୍ଯ୍ୟରେ ସ୍କୁଟି ସାହାଯ୍ୟରେ ଯାଉଥିବା ସମୟରେ ଜାତୀୟ ରାଜପଥରେ ପଛ ପଟୁ ଏକ ହାଇୱା ଗାଡି ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସେଠାରେ ରହୁଥିବା ସମ୍ପର୍କୀୟ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଗୁଜରାଟ ପୋଲିସ ଶବ ବ୍ୟବଛେଦ କରିବା ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲେ। ଆର୍ଥିକ ଅବସ୍ଥା ସୁଦୃଢ଼ ନଥିବାରୁ ମର ଶରୀର ଜନ୍ମମାଟି ଗୌଡ଼ ଢ଼େପାଗୁଡାକୁ ଆସିପାରିଲା ନାହିଁ । ଫଳରେ ପ୍ରବାସୀ ଓଡ଼ିଆଙ୍କ ସହଯୋଗରେ ସୋମବାର ଅନ୍ତିମ ସଂସ୍କାର କରାଯାଇଥିଲା।

ପରିବାରର ରୋଜଗାରିଆ ପୁଅକୁ ହରାଇ ପିତା ମାତା କାନ୍ଦି କାନ୍ଦି ପୁଅକୁ ଖୋଜୁଛନ୍ତି। ଏହି ଖବର ପ୍ରସାରିତ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ହେମାନନ୍ଦ ଶାନ୍ତ, ସରଳ ଓ ପରୋପକାରୀ ଯୁବକ ଭାବେ ଗାଁ ରେ ସମସ୍ତଙ୍କ ପ୍ରିୟ ପାତ୍ର ଥିଲେ।

 

Dharitri – Odisha’s No.1 Odia Daily

Share