ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଫୁଲବାଣୀ,୨୯ା୮(ରାକେଶ କୁମାର ରାଉତ ): କନ୍ଧମାଳ ଜିଲାରୁ ଦାଦନ ଦୁଃଖ ସରିବାର ନାଁ ଧରୁନି। କାମଧନ୍ଦା ଖୋଜିବାକୁ ରାଜ୍ୟ ବାହାରକୁ ଯାଉଥିବା ଲୋକଙ୍କ ବିଭିନ୍ନ ପରିସ୍ଥିତିରେ ମୃତ୍ୟୁ ହେବା ଘଟଣା ଲଗାତାର ଘଟୁଛି। କିଛିଦିନ ତଳେ ରୋଜଗାର ପାଇଁ ବେଙ୍ଗାଲୁର ଯାଇଥିବା ଜି. ଉଦୟଗିରି ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ହାଇଦ୍ରାବାଦଠାରେ ଫିରିଙ୍ଗିଆ ଅଞ୍ଚଳର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ପୋଡାପଡା ଗାଁର ସ୍ବର୍ଗତ ସୁମନ ମୁଖିଙ୍କ ପୁଅ ଭୋଳେଶ୍ୱର ମୁଖି ଓରଫ ପିଣ୍ଟୁ ପ୍ରାୟ ୫ବର୍ଷ ତଳେ ସ୍ତ୍ରୀ ଓ ଦେଢ଼ବର୍ଷର ଝିଅକୁ ନେଇ କାମ ଖୋଜିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ନାଲଗୋଣ୍ଡା ଜିଲାର ଏକ ବେସରକାରୀ କମ୍ପାନୀରେ ସେ କାମ କରୁଥିଲେ I ରବିବାର ପିଣ୍ଟୁ ଆତ୍ମହତ୍ୟା କରିଥିବା ନେଇ ସେଠାରେ ଥିବା ତାଙ୍କ ସମ୍ପର୍କୀୟ ପରିବାରକୁ ଖବର ଦେଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ସ୍ତ୍ରୀଙ୍କୁ ଶବ ହସ୍ତାନ୍ତର କଲା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହାୟତାରେ ଗାଁକୁ ଅଣାଯାଉଥିବା ପରିବାର ପକ୍ଷରୁ ସୂଚନା ମିଳିଛି I ଅନ୍ୟପଟେ, ପିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି। ଏହି ଘଟଣାକୁ ନେଇ ନାଲଗୋଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ପିଣ୍ଟୁଙ୍କ ଜନୈକ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।