ଭୁବନେଶ୍ୱରରେ ପହଞ୍ଚିଲେ ମଣିପୁରରେ ପଢୁଥିବା ଓଡ଼ିଆ ଛାତ୍ରୀଛାତ୍ର, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର,୭ା୫(ବ୍ୟୁରୋ): ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ୧୦ ଜଣ ଓଡ଼ିଆ ଛାତ୍ରୀଛାତ୍ର ରବିବାର ସୁରକ୍ଷିତ ଭାବରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ମୋ’ ପରିବାର ପକ୍ଷରୁ ଜାତିଗତ ହିଂସାରେ କ୍ଷତିଗ୍ରସ୍ତ ମଣିପୁରରେ ପାଠ ପଢୁଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଓଡ଼ିଶା ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଶନିବାର ରାତିରେ ସେମାନଙ୍କୁ କୋଲକାତା ଅଣାଯାଇଥିଲା। ଆଜି ପୂର୍ବାହ୍ନରେ ସେମାନେ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ପରେ ସେମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସୁରକ୍ଷିତ ଭାବରେ ସେମାନଙ୍କୁ ଭୁବନେଶ୍ବର ଫେରାଇ ଆଣିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ପାଠପଢ଼ା ବିଷୟରେ ପଚାରି ବୁଝିବା ସହ ଖୁବ୍‌ଶୀଘ୍ର ମଣିପୁରରେ ସ୍ବାଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ପିଲାମାନଙ୍କୁ ହକି ଜର୍ସି ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ବାଗତ କରିଥିଲେ।