ବିବାଦରେ ଓଡ଼ିଆ କବି ରାଜେନ୍ଦ୍ରଙ୍କ କବିତା: ଦେବୀ ସୀତାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ କରିଥିଲେ ପୋଷ୍ଟ

ଭୁବନେଶ୍ୱର,୪ା୭(ବ୍ୟୁରୋ): ‘ଅଶୋକ ବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର, ଅଗ୍ନି ପରୀକ୍ଷାରେ ଏଣେ ହୋଇପାର ଅନାୟାସରେ ଉତ୍ତୀର୍ଣ୍ଣା, ତୁମେ କାହାରି ନୁହଁ।’ ସୋସିଆଲ ମିଡିଆରେ ଦେବୀ ସୀତାଙ୍କ ଉଦ୍ଦେଶ୍ୟରେ ଏଭଳି ଏକ ପୋଷ୍ଟ କରି ବିବାଦକୁ ଆସିଛନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡା। ଗତ ଏପ୍ରିଲ ୨୭ରେ ରାଜେନ୍ଦ୍ର ଫେସ୍‌ବୁକ୍‌ରେ କରିଥିବା ଏହି ପୋଷ୍ଟ କୋଟି କୋଟି ହିନ୍ଦୁ ଓ ସଂସ୍କୃତିପ୍ରେମୀଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଏଭଳିସ୍ଥଳେ ରାଜେନ୍ଦ୍ର ପଣ୍ଡାଙ୍କଠାରୁ ଏକାଡେମୀ ପୁରସ୍କାର ପ୍ରତ୍ୟାହାର କରିବାକୁ ସ୍ତମ୍ଭକାର ଶାଶ୍ୱତ ପାଣିଗ୍ରାହୀ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଚନ୍ଦ୍ରଶେଖର କମ୍ବରଙ୍କୁ ଇ-ମେଲ୍‌ କରି ଜଣାଇଛନ୍ତି। ତେବେ ୧୯୮୮ ମସିହାର ପ୍ରକାଶିତ ଏକ ପୁସ୍ତକରେ ଏହି କବିତା ରହିଥିଲା। ଏହା ବିବାଦୀୟ ନୁହେଁ, ବରଂ ସ୍ତ୍ରୀଙ୍କୁ ଅଗ୍ରାଧିକାର ଦେବା କଥା ଏହି କବିତାରେ କୁହାଯାଇଥିବା ରାଜେନ୍ଦ୍ର କହିଛନ୍ତି। ଏହାସହ ସେ ସମ୍ପୂର୍ଣ୍ଣ କବିତାକୁ ପୁଣିଥରେ ନିଜ ଫେସ୍‌ବୁକ୍‌ରେ ରିପୋଷ୍ଟ୍‌ କରିଥିବା ମଧ୍ୟ ଦେଖିବାକୁ ମିଳିଛି।