ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

କୋକସରା,୨୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପରିବାର ପ୍ରତିପୋଷଣ ସହ ଦୁଇ ପଇସା ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ଗ୍ରାମର ତ୍ରିଲୋଚନ ମଙ୍ଗରାଜ (୩୯) ।

ସୂଚନା ଅନୁଯାୟୀ, ତ୍ରିଲୋଚନ କିଛିଦିନ ତଳେ ରୋଜଗାର ଉଦ୍ଦେଶ୍ୟରେ ହାଇଦ୍ରାବାଦ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ । ସେ ରହୁଥିବା ଘର ଦୀର୍ଘ ସମୟ ଧରି ବନ୍ଦ ରହିଥିବା ଦେଖି ଘର ମାଲିକ କବାଟ ଖୋଲି ଦେଖିବାରୁ ତ୍ରିଲୋଚନଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଥିଲା। ଏନେଇ ତାଙ୍କ ପରିବାର ଓ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପକ୍ଷରୁ ଆବଶ୍ୟକ ତଦନ୍ତ ଓ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ଗୁରୁବାର ତ୍ରିଲୋଚନଙ୍କ ମୃତଦେହ ତାଙ୍କ ନିଜ ଗାଁ ଗମ୍ଭାରୀଗୁଡ଼ାକୁ ଅଣାଯିବ ବୋଲି ସୂଚନା ମିଳିଛି । ତାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

 

Dharitri – Odisha’s No.1 Odia Daily

Share