ରାଷ୍ଟ୍ରପତି ଭବନରେ ଓଡ଼ିଆ ସଂସ୍କୃତିର ଝଲକ: ଚିରସ୍ରୋତାଙ୍କ ‘ଆହେ ନୀଳ ଶଇଳ’ ନୃତ୍ୟରେ…

ସାକ୍ଷୀଗୋପାଳ,୧୮ା୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପ୍ରତିଟି ଓଡ଼ିଆ ଘରର ପାରମ୍ପରିକ ରଜ ଉତ୍ସବର ମାହୋଲ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଦେଖିବାକୁ ମିଳିଛି। ତିନି ଦିନ ବ୍ୟାପି ରଙ୍ଗାରଙ୍ଗ ସାଂସ୍କୃତିକ ସମୋରୋହ ଅବସରରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ, ସାକ୍ଷୀଗୋପାଳର ଓଡ଼ିଶୀ ନୃତ୍ୟଶିଳ୍ପୀ ଚିରସ୍ରୋତା ଖୁଣ୍ଟିଆ ଓ ସାଥୀମାନଙ୍କ ‘ଆହେ ନୀଳ ଶଇଳ’ ସଙ୍ଗୀତ ଏବଂ ଓଡିଶୀ ନୃତ୍ୟ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ୧୭ଶ ଶତାବ୍ଦୀର ଭକ୍ତି କବିତା ଉପରେ ଆଧାରିତ ଏହି ସଙ୍ଗୀତ ଭକ୍ତ ସାଲବେଗ ରଚନା କରିଥିଲେ। ପଦ୍ମଭୂଷଣ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ଓ ଗୁରୁ ଭୁବନେଶ୍ୱର ମିଶ୍ରଙ୍କ ପୁରାତନ ସ୍ବର ସଂଯୋଜନା ଉପରେ ପର୍ଯ୍ୟବେଶିତ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ସ୍ବାଇଁ। ସ୍ପିକମାକ ଓ ଦୂରଦର୍ଶନର ଜଣେ ଉଚ୍ଚ ବର୍ଗର ନୃତ୍ୟଶିଳ୍ପୀ ଚିରସ୍ରୋତା ଖୁଣ୍ଟିଆଙ୍କ ସହ ସଙ୍ଗୀତ ମହାବିଦ୍ୟାଳୟର ବରିଷ୍ଠ କଳାକାରମାନଙ୍କ ମଧ୍ୟରେ ଶୁଭଲକ୍ଷ୍ମୀ ରାଉତ, ଲିଜାଲିନ ପ୍ରଧାନ, ଶ୍ରୀତନୟା ଜେନା, ପ୍ରତ୍ୟୁଷା ପ୍ରିୟଦର୍ଶିନୀ, ପ୍ରଶାନ୍ତ କୁମାର ସାହୁ ଏବଂ ରଘୁନାଥ ପ୍ରଧାନଙ୍କ ବଳିଷ୍ଠ ଉପସ୍ଥାପନା ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଭିନ୍ନ ଦିବସରେ ଓଡ଼ିଶାର ଏମ୍‌ପି ଡା. ସମ୍ବିତ ପାତ୍ର ଓ ଅପରାଜିତା ଷଡ଼ଙ୍ଗୀ ଏହି ଉତ୍ସବରେ ସାମିଲ ହୋଇ କଳାକାରମାନଙ୍କୁ ଉତ୍ସାହିତ କରିଥିବାବେଳେ ଟିମ୍‌ ମ୍ୟାନେଜର ଭାବରେ ମହାବିଦ୍ୟାଳୟର ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ ଦାୟିତ୍ୱ ତୁଲାଇଥିଲେ। ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ଗୀତଗୋବିନ୍ଦ ଖଣ୍ଡୁଆ ଅର୍ପଣ କରାଯାଇଥିଲା।

Dharitri – Odisha’s No.1 Odia Daily

Share