ଓଡ଼ିଆ ପୁଅ ଅମିତ ନେବେ ହକି ଟିମ୍‌ର ନେତୃତ୍ୱ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଭାରତୀୟ ହକି ଟିମ୍‌ର ନେତୃତ୍ୱ ନେବେ ଓଡ଼ିଆ ପୁଅ ଅମିତ ରୋହିଦାସ। ଅଲିମ୍ପିକ୍ସରେ ଡିଫେଣ୍ଡର ଭାବେ ବ୍ରୋଞ୍ଜ ପଦକ ଜିତିଥିବା ରୋହିଦାସଙ୍କ ନେତୃତ୍ୱରେ ଭାରତ ୨୦୨୧-୨୨ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶେଷ ଲେଗ ମ୍ୟାଚ୍‌ ଖେଳିବ। ତାଙ୍କ ନେତୃତ୍ୱରେ ଭାରତୀୟ ହକି ଟିମ୍‌ ଶକ୍ତିଶାଳୀ ବେଲଜିୟମ ଓ ନେଦରଲ୍ୟାଣ୍ଡ୍ସକୁ ଭେଟିବ। ପୂର୍ବରୁ ଘରୋଇ ପରିବେଶରେ ଖେଳାଯାଇଥିବା ଏହି ଲିଗ୍‌ରେ ମଧ୍ୟ ରୋହିଦାସ ଭାରତ ନେତୃତ୍ୱ ନେଇଥିଲେ। ବର୍ତ୍ତମାନ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତ ୧୨ ମ୍ୟାଚ୍‌ରୁ ୨୭ ପଏଣ୍ଟ ସହ ସମସ୍ତଙ୍କ ଠାରୁ ଆଗରେ ରହିଛି। ଏହି ଟୁର୍‌ରେ ରୋହିଦାସଙ୍କ ଡେପୁଟି ଭାବେ ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂ ଦାୟିତ୍ୱ ସଂପାଦନ କରିବେ।