ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ଭାବେ ସେ ନିଯୁକ୍ତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ଏହି ଦାୟିତ୍ୱ ପାଇଛନ୍ତି ଏୟାର ମାର୍ଶାଲ ଦିଲୀପ। ସେ ଆସନ୍ତାକାଲି ଏହି ଦାୟିତ୍ୱ ଗ୍ରହଣ କରିବେ। ଫାଇଟର ଜେଟ୍‌ ମିରେଜ୍‌ ପାଇଲଟ ଭାବେ ଦିଲୀପଙ୍କ ଦକ୍ଷତା ରହିଛି। କାର୍ଗିଲ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ବାୟୁସେନା ମେଡ଼ାଲ ପାଇଥିଲେ। ୨୦୨୦ରେ ଦିଲୀପଙ୍କୁ ବିଶିଷ୍ଟ ସେବା ମେଡାଲ ମିଳିଥିଲା। ଏୟାର ମାର୍ଶାଲ ଦିଲୀପଙ୍କର ୨୫୦୦ ଘଣ୍ଟାର ଉଡ଼ାଣ ଦକ୍ଷତା ରହିଛି।

ଦିଲୀପ ହେଉଛନ୍ତି ଭୁବନେଶ୍ୱରର ବାସିନ୍ଦା। ସେ ଏଠାରେ ୧ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଓ ଡିଏମ୍‌ ସ୍କୁଲ୍‌ରେ ପାଠ ପଢ଼ିଥିଲେ। ୧୯୮୪ ମସିହା ଜୁନ ୮ରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ। ଦିଲୀପ ତାଙ୍କ କ୍ୟାରିୟରରେ ଭାରତୀୟ ବାୟୁସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦାୟିତ୍ୱ ତୁଲାଇଛନ୍ତି। ଏପରିକି କାର୍‌ଗିଲ ଯୁଦ୍ଧ ସମୟରେ ଟାଇଗର ହିଲ୍‌ରେ ସେ ଲେଜର ଗାଇଡେଡ୍‌ ବୋମା ପକାଇ ଚର୍ଚ୍ଚାକୁ ଆସିଥିଲେ। ଦିଲୀପଙ୍କ ପାଇଁ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବ କରନ୍ତି।