ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍କୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ ଟୁର୍ଣ୍ଣାମେଣ୍ଟର ସୂଚୀ ଘୋଷଣା କରିବାକୁ ଯାଉଛି । ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଏହି ବିଶ୍ୱକପ୍ ଆୟୋଜିତ ହେବ। ଏଥର ବିଶ୍ୱକପ୍ରେ ୧୪ଟି ଦଳ ଅଂଶଗ୍ରହଣ କରିବେ। ଏହା ସହ ଟୁର୍ଣ୍ଣାମେଣ୍ଟର ଫର୍ମାଟ୍ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଟିକେଟ୍ ପାଇଁ ବ୍ୟାଲଟ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ତେବେ ତୁରନ୍ତ ଟିକେଟ୍ କିଣିହେବ ନାହିଁ, ପ୍ରଶଂସକମାନେ ପ୍ରଥମେ ରେଜିଷ୍ଟର କରିପାରିବେ।
ରିପୋର୍ଟ ଅନୁସାରେ, ୨୦୨୭ ବିଶ୍ୱକପ୍ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଅକ୍ଟୋବର ଆରମ୍ଭରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବରରେ ଶେଷ ହେବ। ନଭେମ୍ବର ୨୧ରେ ଫାଇନାଲ୍ ଖେଳାଯାଇପାରେ। ଅକ୍ଟୋବର ୨ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା ନେଇ ଭାରତର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସହ ଯୋଡ଼ି ଦେଖାଯାଉଛି। ତେବେ ଅନ୍ତିମ ସୂଚୀ ICCର ଅଧିକାରିକ ଘୋଷଣା ପରେ ସ୍ପଷ୍ଟ ହେବ।
ବିଶ୍ୱକପ୍ର ୧୪ଟି ଦଳ ମଧ୍ୟରୁ ୧୦ଟି ଦଳର ସ୍ଥାନ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରାୟ ନିଶ୍ଚିତ ହୋଇଯିବ । ଏଥିରେ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସିଧାସଳଖ ସ୍ଥାନ ପାଇବେ । ଅନ୍ୟ ୮ଟି ଦଳ ICC ODI ରାଙ୍କିଙ୍ଗ୍ ଆଧାରରେ ଯୋଗ୍ୟତା ହାସଲ କରିବେ। ବାକି ୪ଟି ଦଳ କ୍ୱାଲିଫାୟର୍ ମାଧ୍ୟମରେ ବିଶ୍ୱକପ୍କୁ ଆସିବେ। ସୂଚୀରେ ସେମାନଙ୍କୁ କ୍ୱାଲିଫାୟର୍ ୧, ୨, ୩ ଓ ୪ ଭାବେ ଦର୍ଶାଯାଇପାରେ।
ବିଶେଷ କଥା ହେଉଛି, ଆୟୋଜକ ଦେଶ ନାମିବିଆର ବିଶ୍ୱକପ୍ ଯୋଗ୍ୟତା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ତେଣୁ ଆୟୋଜକ ହୋଇଥିଲେ ମଧ୍ୟ ତାଙ୍କୁ କ୍ୱାଲିଫିକେସନ୍ ପ୍ରକ୍ରିୟା ଦେଇ ଆସିବାକୁ ପଡ଼ିପାରେ। ବର୍ତ୍ତମାନର ODI ରାଙ୍କିଙ୍ଗ୍ ଆଧାରରେ ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ବିଶ୍ୱକପ୍ ସ୍ଥାନ ପାଇବା ଦୌଡ଼ରେ ରହିଛନ୍ତି।
ବାଂଲାଦେଶ ୯ମ ସ୍ଥାନରେ ଥିଲେ ମଧ୍ୟ ସ୍ଥାନ ପାଇପାରେ, କାରଣ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଆୟୋଜକ ଭାବେ ନିଜ ସ୍ଥାନ ହାସଲ କରିସାରିଛି। ଅନ୍ୟପଟେ ୱେଷ୍ଟଇଣ୍ଡିଜକୁ ବିଶ୍ୱକପ୍ରେ ସ୍ଥାନ ପାଇବା ପାଇଁ କ୍ୱାଲିଫାୟର୍ ଖେଳିବାକୁ ପଡ଼ିବ।