ଆଜି ମାଘ ସପ୍ତମୀ: ବିନା ଶ୍ରଦ୍ଧାଳୁରେ ବୁଡ଼ ସମ୍ପନ୍ନ

କୋଣାର୍କ,୭ା୨(ଡି.ଏନ୍‌.ଏ.): ଆଜି ପବିତ୍ର ମାଘ ସପ୍ତମୀ। କୋଭିଡ୍‌ କଟକଣାରେ ବିନା ଶ୍ରଦ୍ଧାଳୁରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ନୀତି ସମ୍ପନ୍ନ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଚନ୍ଦ୍ରଭାଗା ମେଳା ପଡ଼ିଆକୁ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ରବିବାର ଅପରାହ୍ନ ୪ ଟାରୁ ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।

ପରମ୍ପରା ଅନୁଯାୟୀ, ପବିତ୍ର ଷଷ୍ଠୀ ରାତ୍ରି ୯ଟା ୩୦ରେ ମାଧିପୁରର ଶ୍ରୀଶ୍ରୀ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଶ୍ରୀଶ୍ରୀ ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବ ବିମାନ ବିଜେ କରିଥିଲେ। ଏହାପରେ ରାତି ୧୨ଟା ୩୦ ମଧ୍ୟରେ କୋଣାର୍କ ଏନ୍‌ଏସିଠାରେ ଏହି ୩ ଠାକୁର ଏକତ୍ର ଭୋଗ ଖାଇଥିଲେ। ପାରମ୍ପରିକ ଶୋଭାଯାତ୍ରାରେ ଭୋର୍‌ ୩ଟା ୪୦ ମଧ୍ୟରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିଥିଲେ। ୪ଟା୨୦ରେ ପ୍ରଭୁଙ୍କ ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ପରେ ନୀତିକାନ୍ତି ସହ ଜଡିଡ଼ ସେବକ ଓ ସାଧୁସନ୍ଥମାନେ ବୁଡ଼ ପକାଇଥିଲେ।