ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ମ୍ୟାଚ ପାଇଁ ଯୋଗ୍ୟତା ହାସଲ କରେ, ତେବେ ସେହି ଦିନ ଭାରତୀୟ ଦଳକୁ ଦୁଇଟି ଭିନ୍ନ ଦେଶରେ ଦୁଇଟି ମ୍ୟାଚ ଖେଳିବାକୁ ପଡ଼ିପାରେ।
୩ ଅକ୍ଟୋବରରେ ଭାରତକୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ଖେଳିବାର କାର୍ଯ୍ୟସୂଚୀ ରହିଛି। ଅନ୍ୟପଟେ ସେହି ଦିନ ଜାପାନରେ ୨୦୨୬ ଏସିଆନ ଗେମ୍ସର ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ମ୍ୟାଚ ମଧ୍ୟ ଖେଳାଯିବ।
ଯଦି ଭାରତ ଗୋଲ୍ଡ ମେଡାଲ ମ୍ୟାଚରେ ପହଞ୍ଚେ, ତେବେ ଗୋଟିଏ ମ୍ୟାଚ ଜାପାନରେ ଏବଂ ଅନ୍ୟଟି ୱେଷ୍ଟଇଣ୍ଡିଜ ବିପକ୍ଷରେ ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳିବାକୁ ପଡ଼ିବ। ଭାରତୀୟ କ୍ରିକେଟ ଇତିହାସରେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିପାରେ।
୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟ୍ର ବ୍ରୋଞ୍ଜ ଏବଂ ଗୋଲ୍ଡ ମେଡାଲ ମ୍ୟାଚ ୩ ଅକ୍ଟୋବରରେ ଜାପାନର ନିଶିନ୍ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯିବ। ଏସିଆନ ଗେମ୍ସରେ ଭାରତୀୟ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରୁ ନିଜ ଅଭିଯାନ ଆରମ୍ଭ କରିବ।
ଯଦି ଟିମ ଇଣ୍ଡିଆ କ୍ୱାର୍ଟର ଫାଇନାଲ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ପାର୍ କରି ଫାଇନାଲରେ ପହଞ୍ଚେ, ତେବେ ଅକ୍ଟୋବର ୩ ତାରିଖ ଭାରତୀୟ କ୍ରିକେଟ ପାଇଁ ବେଶ ରୋଚକ ହୋଇପାରେ।
ସେପ୍ଟେମ୍ବର ମାସରେ ଭାରତୀୟ ଦଳ ମୋଟ ୬ଟି ମ୍ୟାଚ ଖେଳିବାକୁ ଥିବାବେଳେ ସମସ୍ତ ମ୍ୟାଚ ସୀମିତ ଓଭର୍ ଫର୍ମାଟରେ ହେବ। ଅର୍ଥାତ୍ ଏହି ମାସରେ ଟିମ ଇଣ୍ଡିଆ କୌଣସି ଟେଷ୍ଟ ମ୍ୟାଚ ଖେଳିବ ନାହିଁ।
ସେପ୍ଟେମ୍ବର ୧୩ରୁ ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷରେ ୩ ମ୍ୟାଚର ଟି-୨୦ ସିରିଜ ଆରମ୍ଭ ହେବ। ଏହାପରେ ମାସ ଶେଷ ଆଡ଼କୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚର ଦିନିକିଆ ସିରିଜ ଖେଳିବ ଭାରତ। ଏହି ସିରିଜ୍ର ଦୁଇଟି ମ୍ୟାଚ ସେପ୍ଟେମ୍ବରରେ ଏବଂ ତୃତୀୟ ମ୍ୟାଚ ଅକ୍ଟୋବର ୩ରେ ଖେଳାଯିବ। ଏହା ସହିତ ଏସିଆନ ଗେମ୍ସର କ୍ୱାର୍ଟର ଫାଇନାଲ ମ୍ୟାଚ ମଧ୍ୟ ଭାରତ ଏହି ମାସରେ ଖେଳିବ।