ଫେବୃୟାରୀ ୧୯ରୁ ଓସିଏସ୍‌ ମେନ୍‌

କଟକ ଅଫିସ, ୧୭ା୧:ଓଡ଼ିିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ ମୁଖ୍ୟ (ମେନ୍‌) ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଫେବୃୟାରୀ ୧୯ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଫେବୃୟାରୀ ୨୦, ୨୨, ମାର୍ଚ୍ଚ ୭ ଏବଂ ୮ ତାରିଖରେ ପରୀକ୍ଷା ହେବ ନାହିଁ। ପୂର୍ବରୁ ଏହି ପରୀକ୍ଷା ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚୀ ପ୍ରକାଶ ପାଇଥିଲା। କିନ୍ତୁ ଓପିଏସ୍‌ସି ଦ୍ୱାରା ଉକ୍ତ ନିର୍ଦ୍ଧାରିତ ତାରିଖରେ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି)ର ସିଭିଲ ସର୍ଭିସ ସାକ୍ଷାତ୍‌କାର ପରୀକ୍ଷା ଥିବାରୁ ଓପିଏସ୍‌ସି ପକ୍ଷରୁ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ। ପରୀକ୍ଷା ୩ ଘଣ୍ଟା ହେବାକୁ ଥିବାବେଳେ କେବଳ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ଏକ ଘଣ୍ଟା ସମୟ ମିଳିବ। ଆଡ୍‌ମିଟ୍‌ କାର୍ଡ ଖୁବ୍‌ଶୀଘ୍ର ଓପିଏସ୍‌ସି ୱେବ୍‌ସାଇଟରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ପ୍ରକାଶିତ ବିଜ୍ଞପ୍ତିରେ ସବିଶେଷ ତଥ୍ୟ ପାଇପାରିବେ ବୋଲି ସୂଚନା ମିଳିଛି। ସୂଚନା ଥାଉକି, ଗତ ଅକ୍ଟୋବର ୧୬ରେ ଓସିଏସ୍‌-୨୦୨୧ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।