ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ଥିଲେ ସୁଦ୍ଧା ଏହାକୁ ୨୦୦୦ ମସିହା ପୂର୍ବରୁ ଚାରିଟି ମହାସାଗର ଯଥା: ପ୍ରଶାନ୍ତ ମହାସାଗର, ଆଟ୍ଲାଣ୍ଟିକ୍ ମହାସାଗର, ଭାରତୀୟ ମହାସାଗର ଓ ଆଣ୍ଟାର୍କଟିକା ମହାସାଗରରେ ବିଭକ୍ତ କରାଯାଇଥିଲା। ବର୍ତ୍ତମାନ ଗୋଟିଏ ନୂତନ ମହାସାଗର ‘ଦକ୍ଷିଣ ମହାସାଗର’ର ସୀମା ନିର୍ଦ୍ଧାରଣ କରାଯାଇଛି। ଏହା ଆଣ୍ଟାର୍କଟିକା ମହାଦେଶକୁ ଘେରି ରହିଛି ଏବଂ ୬୦ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବ୍ୟାପିଛି। ଏହା ବ୍ୟତୀତ ଅନେକ ସାଗର ଓ ଉପସାଗରକୁ ଚିହ୍ନଟ କରାଯାଇ ନାମକରଣ କରାଯାଇଛି।
ପୃଥିବୀରେ ଜୀବଜଗତର ଉଦ୍ଭବ ଓ ବୃଦ୍ଧିରେ ସାଗର ଓ ମହାସାଗରଗୁଡ଼ିକର ଅନନ୍ୟ ଅବଦାନ ରହିଛି। ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହ କିମ୍ବା ଉପଗ୍ରହରେ ଜଳୀୟ ସାଗର ଆବିଷ୍କୃତ ହୋଇନାହିଁ। ସାଗରରେ ପ୍ରଥମେ ଜୀବ ସୃଷ୍ଟି ହୋଇ ବିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀରେ ଜୀବଜଗତ ଗଢ଼ି ଉଠିଛି।
ପୃଥିବୀର ବାୟୁମଣ୍ଡଳରେ ଥିବା ଅମ୍ଳଜାନର ଅର୍ଦ୍ଧାଧିକ ସାଗର ଦେଇଥାଏ। ପୁନଶ୍ଚ ଆମେ ବାୟୁମଣ୍ଡଳକୁ ନିର୍ଗତ କରୁଥିବା ଅଧିକାଂଶ ଅଙ୍ଗାରକାମ୍ଳକୁ ଏହା ଶୋଷଣ କରିଥାଏ। ଫଳରେ ଏହା ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଅବଶ୍ୟ ବିଗତ କେତେବର୍ଷରେ ଆମେ କଳକାରଖାନାରୁ ଏତେ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗତ କରୁଛେ ଯେ, ବାୟୁମଣ୍ଡଳରେ ଏହାର ପରିମାଣ ବୃଦ୍ଧି ପାଇ ପୃଥିବୀର ତାପମାତ୍ରା ବଢ଼ୁଛି।
ସାଗର ହେଉଛି ପୃଥିବୀର ଅଧିକାଂଶ ଜୈବ ବିବିଧତାର ଆବାସସ୍ଥଳ। ପୃଥିବୀର ସାଗରଗୁଡ଼ିକ ଉପରେ ତିନିଶହ କୋଟିରୁ ଅଧିକ ଲୋକ ନିଜର ଜୀବିକା ପାଇଁ ନିର୍ଭର କରିଥାଆନ୍ତି। ପୃଥିବୀର ମୋଟ ବାଣିଜ୍ୟ କାରବାରରେ ନବେ ପ୍ରତିଶତରୁ ଅଧିକ ସାମଗ୍ରୀ ସାଗର ଦେଇ ପରିବହନ କରାଯାଇଥାଏ। ସାଗର ଜଳରୁ ଖାଇବା ଲୁଣ ସମେତ ଅନେକ ପ୍ରକାର ଲବଣ ସଂଗ୍ରହ କରାଯାଏ। ପୃଥିବୀରେ ଜଳଚକ୍ରର ମୁଖ୍ୟ କାରକ ହେଉଛି ସାଗର। ଏହାର ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳକୁ ଯାଏ ଏବଂ ବର୍ଷା ଆକାରରେ ପୃଥିବୀରେ ପଡ଼େ। ସବୁଜଗୃହ ଗ୍ୟାସ୍ ଦ୍ୱାରା ଉତ୍ପନ୍ନ ହେଉଥିବା ଉତ୍ତାପର ନବେ ପ୍ରତିଶତରୁ ଅଧିକ ସାଗର ଶୋଷଣ କରିଥାଏ।
ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପରିମାଣର ପେଟ୍ରୋଲିୟମ ତୈଳ ଓ ପ୍ରାକୃତିକ ଗ୍ୟାସ ଅଛି। ଏହାକୁ ଉତ୍ତୋଳନ କରି ଆମର ଶକ୍ତି ସମସ୍ୟାର ସମାଧାନ କରାଯାଉଛି। ପୁନଶ୍ଚ ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପରିମାଣର ମିଥେନ ହାଇଡ୍ରେଟ ଚିହ୍ନଟ କରାଯାଇଛି। ଏହାକୁ ସଂଗ୍ରହ କରି ଇନ୍ଧନ ଭାବେ ବ୍ୟବହାର କରିବା ପାଇଁ ଗବେଷଣା ଚାଲିଛି। ଏହା ସଫଳ ହୋଇପାରିଲେ ଏହା ଶକ୍ତିର ଗୋଟିଏ ବଡ଼ ଉତ୍ସ ଭାବେ ପରିଗଣିତ ହେବ।
ଏତଦ୍ବ୍ୟତୀତ ସମୁଦ୍ର ଶଯ୍ୟାତଳେ ଅନେକ ପ୍ରକାର ଖଣିଜ ପଦାର୍ଥ ଅଛି। ଏହାକୁ ଉତ୍ତୋଳନ କରିବା ପାଇଁ ଚେଷ୍ଟା ଚାଲିଛି। ଆସନ୍ତା ଦଶନ୍ଧିରେ ସାଗର ଓ ମହାସାଗରଗୁଡ଼ିକ ଆମ ଅର୍ଥନୀତିର ଏକ ମୁଖ୍ୟ ଅଙ୍ଗ ହେବାର ଆଶା କରାଯାଉଛି। ଏହାକୁ ନୀଳ ଅର୍ଥନୀତି ଭାବେ ଦର୍ଶାଯାଉଛି।
ସାଗର ଓ ମହାସାଗରରୁ ଆମେ ଅନେକ ଉପକାର ପାଉଥିଲେ ମଧ୍ୟ ମନୁଷ୍ୟକୃତ ପ୍ରଦୂଷଣରୁ ଏହା ମୁକ୍ତ ହୋଇନାହିଁ। ସମୁଦ୍ର ବେଳାଭୂମି ଓ ଜାହାଜଗୁଡ଼ିକରୁ ସମୁଦ୍ରକୁ ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ୍ ପଦାର୍ଥ ସାମୁଦ୍ରିକ ଜୀବ ପ୍ରତି ବିପଦ ସୃଷ୍ଟି କରିଛି। ପ୍ଲାଷ୍ଟିକ୍ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଓ ଏକ ଲକ୍ଷ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛନ୍ତି। ତୈଳବାହୀ ଜାହାଜ ଦୁର୍ଘଟଣା ଯୋଗୁ ଅନେକ ପେଟ୍ରୋଲିୟମ ପଦାର୍ଥ ସମୁଦ୍ର ଜଳରେ ମିଶି ସାମୁଦ୍ରିକ ଜୀବଗୁଡ଼ିକ ପାଇଁ ବିପଦର କାରଣ ହୋଇଛି। ଯୁଦ୍ଧ ସମୟରେ ଅନେକ କ୍ଷେପଣାସ୍ତ୍ର ସମୁଦ୍ରରେ ପଡ଼ି ଏହାକୁ ପ୍ରଦୂଷଣ କରୁଛି।
ମନୁଷ୍ୟସମାଜ ପ୍ରତି ମହାସାଗରର ଅବଦାନ ଏବଂ ଏହାର ପ୍ରଦୂଷଣ ନିୟନ୍ତ୍ରଣ ନିମିତ୍ତ ଜନସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ଜୁନ୍ ୮ ତାରିଖକୁ ‘ବିଶ୍ୱ ମହାସାଗର ଦିବସ’ ଭାବେ ପାଳନ କରୁଛି। ୨୦୦୯ରୁ ଏହା ପାଳନ କରାଯାଉଛି ଏବଂ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ନିର୍ବାଚନ କରାଯାଇ ତାହା ଉପରେ ଆଲୋଚନା ହେଉଛି। ଚଳିତ ବର୍ଷର ବିଷୟ ହେଉଛି ‘ଆମ ନୀଳଗ୍ରହ ପାଇଁ ଦୃଢ଼ ସାମୁଦ୍ରିକ ସୁରକ୍ଷିତ ଅଞ୍ଚଳ’। ସାମୁଦ୍ରିକ ସୁରକ୍ଷିତ ଅଞ୍ଚଳରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ମନୁଷ୍ୟର କାର୍ଯ୍ୟକଳାପକୁ ବିଭିନ୍ନ ଆଇନ ଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ। ଏଣୁ ଏହିସବୁ ଅଞ୍ଚଳର ବିସ୍ତାର କରି ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଉତ୍ତମ ସାମୁଦ୍ରିକ ବାସସ୍ଥାନର ବ୍ୟବସ୍ଥା କରିବା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ।
ଇଂ ମାୟାଧର ସ୍ବାଇଁ
ଲକ୍ଷ୍ମୀବିହାର ଫେଜ୍-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪