ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ। ଶୁଣାଣି ସମୟରେ ବିଚାରପତି ପ୍ରଶ୍ନ କରିଥିଲେ, ”ଆପଣ ଏହାକୁ କାହିଁକି ବନ୍ଦ କରୁନାହାନ୍ତି? ମୋ ମତରେ, ଏସବୁ ସହର ଭିତରେ ହେବା ଉଚିତ ନୁହେଁ, କିନ୍ତୁ ଏହା ସରକାରଙ୍କ ନିଷ୍ପତ୍ତି। ସହରକୁ କାହିଁକି ଅନାବଶ୍ୟକ ଭାବେ ବନ୍ଦ କରି ରଖାଯିବ?“ ଅଲ ଇଣ୍ଡିଆ ଦଳିତ ଖ୍ରୀଷ୍ଟିଆନ ରାଇଟ୍ସ ପ୍ରୋଟେକ୍ସନ କମିଟି ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ। ଏହି ଆବେଦନରେ ଯନ୍ତରମନ୍ତରଠାରେ ପ୍ରତିବାଦ କରିବାକୁ ଅନୁମତି ମାଗି ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଥିଲା। ସେହି ସଂଗଠନର ଓକିଲ ପଚାରିଥିଲେ, ଏହା କେନ୍ଦ୍ରର ଆଭିମୁଖ୍ୟ କି ଦିଲ୍ଲୀରେ କୌଣସି ପ୍ରତିବାଦ ହୋଇପାରିବ ନାହିଁ? ଉତ୍ତରରେ କୁହାଗଲା, ‘ଏହା ଉପରେ ପୋଲିସ ନିଷ୍ପତ୍ତି ନେବ।’ ଓକିଲ କହିଥିଲେ ଠିକ୍‌ ଅଛି, ସେମାନେ କହିଦିଅନ୍ତୁ ଯେ ଦିଲ୍ଲୀରେ କୌଣସି ଗଣତାନ୍ତ୍ରିକ ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦ ହେବ ନାହିଁ। ଆମେ ତାହାକୁ ଗ୍ରହଣ କରିବୁ। ଖଣ୍ଡପୀଠଙ୍କ ମତ ଥିଲା, ଆନ୍ଦୋଳନକାରୀଙ୍କ ଦ୍ୱାରା ସହରକୁ ଏକ ପ୍ରକାର ବନ୍ଦ କରି ରଖିବା ଉଚିତ ନୁହେଁ। ଏହା ଉପରେ ସରକାରଙ୍କ ପ୍ରତିକ୍ରିୟା ଜଣାପଡ଼ି ନ ଥିଲା, କିନ୍ତୁ ଭାରତରେ ସମସ୍ତ ସରକାର ଭାବନ୍ତି ଏବଂ ଭାବି ଆସିଛନ୍ତି ଯେ ପ୍ରତିବାଦ ହେଉଛି ଏକ ବିଭ୍ରାଟ, ଯାହା ସୁଶାସନ ମାର୍ଗରେ ବାଧା ସୃଷ୍ଟି କରେ। ଏହି ପ୍ରସଙ୍ଗକୁ ଗଭୀର ଭାବରେ ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ଆଜିର ଏହି ଆଲେଖ୍ୟ।
ଭାରତୀୟ ସମ୍ବିଧାନର ଧାରା ୧୯ କହେ, ସମସ୍ତ ନାଗରିକଙ୍କର ଅଧିକାର ରହିବ (୧) ବାକ୍‌ ଓ ଅଭିବ୍ୟକ୍ତିର ସ୍ବାଧୀନତା, (୨) ଶାନ୍ତିପୂର୍ଣ୍ଣ ଭାବରେ ଏବଂ ବିନା ଅସ୍ତ୍ରଶସ୍ତ୍ରରେ ସମାବେଶ କରିବା, (୩) ସଂଘ କିମ୍ବା ସଂଗଠନ ଗଠନ କରିବା, (୪) ଭାରତର ସମଗ୍ର ଅଞ୍ଚଳରେ ମୁକ୍ତ ଭାବରେ ବୁଲାବୁଲି କରିବା, (୫) ଭାରତର ଯେକୌଣସି ସ୍ଥାନରେ ବସବାସ କରିବା ଓ ସ୍ଥାୟୀ ଭାବେ ରହିବା ଏବଂ (୬) ଯେକୌଣସି ବୃତ୍ତି ଆପଣାଇବା, କିମ୍ବା ଯେକୌଣସି ଜୀବିକା, ବ୍ୟବସାୟ ବାଣିଜ୍ୟ କରିବା। ବାସ୍ତବତା ହେଉଛି, ଏବେ ଆମ ପାଖରେ ଏଭଳି କୌଣସି ଅଧିକାର ନାହିଁ। ଭାରତୀୟଙ୍କର ଶାନ୍ତିପୂର୍ଣ୍ଣ ଭାବେ ଏବଂ ବିନା ଅସ୍ତ୍ରଶସ୍ତ୍ରରେ ଏକତ୍ରିତ ହେବାର ଅଧିକାର ନାହିଁ। ସ୍ଥାନୀୟ ପୋଲିସ ଷ୍ଟେଶନରେ ଶାନ୍ତିପୂର୍ଣ୍ଣ ସମାବେଶ ଲାଗି ଅନୁମତି ଆବେଦନ କରିବାର ଅଧିକାର ଆମର ଅଛି ସତ, ହେଲେ ଅନୁମତି ପ୍ରଦାନ କରିବା, ପ୍ରତ୍ୟାଖ୍ୟାନ କରିବା କିମ୍ବା କୌଣସି ପ୍ରତିକ୍ରିୟା ନ ଦେବାର ଅଧିକାର ପୋଲିସର ଅଛି (ଏହି କାରଣରୁ ହିଁ ଦଳିତ ଖ୍ରୀଷ୍ଟିଆନମାନେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ)। ଭାରତରେ ପ୍ରତିବାଦର ଅପରାଧୀକରଣ କରାଯାଇଛିି। ଏଠାରେ ଲିଖିତ ଅନୁମତି ପରେ ପ୍ରତିବାଦ ‘ନିର୍ଦ୍ଧାରିତ ଅଞ୍ଚଳ’ଗୁଡ଼ିକରେ ହୋଇଥାଏ। ଅନେକେ ଏହାକୁ ଏକ ବିରକ୍ତିକର କିମ୍ବା ବାଧା ସୃଷ୍ଟିକାରୀ ବିଷୟ ବୋଲି ଭାବନ୍ତି। ଦିଲ୍ଲୀର ଯନ୍ତରମନ୍ତର ସମେତ ବେଙ୍ଗାଲୁରୁରେ ଟାଉନ ହଲ ଏବଂ ଫ୍ରିଡମ୍‌ ପାର୍କ, ମୁମ୍ବାଇରେ ଆଜାଦ ମୈଦାନରେ ଅନୁମତି ମିଳିବା ପରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରତିବାଦ କରିବାକୁ ଅନୁମତି ଦିଆଯାଇପାରେ, ଯାହା ଶାନ୍ତିପୂର୍ଣ୍ଣ ସମାବେଶ ଅଧିକାର ପ୍ରଦାନ କରେ ନାହିଁ। ଭାଷଣ ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ମଧ୍ୟ ଆଇନ ଦ୍ୱାରା ବାଧା ଦିଆଯାଏ। ଦେଶଦ୍ରୋହ, ଆପରାଧିକ ମାନହାନି ଏବଂ ଅଦାଲତ ଅବମାନନା ଭଳି ଆଇନ ମାଧ୍ୟମରେ ବାକ୍‌ ସ୍ବାଧୀନତାକୁ ଅପରାଧ ଭାବେ ଗଣାଯାଏ। ଭାରତରେ ଭିନ୍ନମତ ପ୍ରକାଶ କରିବାର ବି କୌଣସି ଅଧିକାର ନାହିଁ ଏବଂ ବହୁସଂଖ୍ୟକ ହିନ୍ଦୁତ୍ୱ ପ୍ରତି ଅପମାନଜନକ ମନେହେଉଥିବା ଯେକୌଣସି ବିଷୟକୁ ଦେଶବିରୋଧୀ ବୋଲି ବିବେଚନା କରାଯାଉଛି। ଭାରତ ସ୍ବାଧୀନ ବୋଲି ଯଦି ଆପଣ ଦାବି କରନ୍ତି, ତେବେ ଜଣେ କଶ୍ମୀରୀ ଆପଣଙ୍କୁ ଭାଷଣ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ବିଷୟରେ କହିପାରିବେ। ଭାରତରେ ସଙ୍ଗଠନର ପଞ୍ଜୀକରଣକୁ ପ୍ରତ୍ୟାଖ୍ୟାନ କିମ୍ବା ବାତିଲ କରାଯାଇପାରେ। ଯେଉଁମାନେ ସଙ୍ଗଠିତ ନାଗରିକ ସମାଜ କ୍ଷେତ୍ରରେ ଅର୍ଥାତ୍‌ ବ୍ୟାବସାୟିକ ଏନ୍‌ଜିଓଗୁଡ଼ିକରେ କାମ କରନ୍ତି, ସେମାନେ ଜାଣନ୍ତି ଯେ ଏହି ମୌଳିକ ଅଧିକାରରେ ସରକାର ଅସୁବିଧା ସୃଷ୍ଟି କରନ୍ତି। ଆମେ ବ୍ୟବସାୟ କରିବାର ଅଧିକାର କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖିଛୁ। କଂସେଇଖାନା ଏବଂ ପରୋକ୍ଷରେ ରେଷ୍ଟୁରାଣ୍ଟଗୁଡ଼ିକ ବନ୍ଦ କରିଦିଆଯାଇଛି। ଏହି ଅଧିକାରଗୁଡ଼ିକରୁ ବଞ୍ଚତ୍ତ କରିବାରେ ସରକାରଙ୍କର ସ୍ବାର୍ଥ ରହିଛି ଏବଂ ଆମେ ମଧ୍ୟ ସେଗୁଡ଼ିକୁ ଦାବି କରିବାରେ ଦୃଢ଼ତା ପ୍ରକାଶ କରୁନାହୁଁ। ପ୍ରଶ୍ନ ହେଉଛି, ଯେଉଁ ପ୍ରତିବନ୍ଧକଗୁଡ଼ିକ ଲାଗୁ କରାଯାଉଛି, ସେଗୁଡ଼ିକ ପ୍ରକୃତରେ ଯୁକ୍ତିସଙ୍ଗତ ନୁହନ୍ତି। ଆମର ମୌଳିକ ଅଧିକାରଗୁଡ଼ିକୁ ପୁନର୍ବାର ହାସଲ କରିବା ହିଁ ସମ୍ବିଧାନର ମୂଲ୍ୟକୁ ବୁଝିବା ଓ ତାହାକୁ ବାସ୍ତବ ଜୀବନରେ ପ୍ରୟୋଗ କରିବାର ଏକମାତ୍ର ଉପାୟ।
ଆମକୁ ବ୍ୟକ୍ତିଗତ ସ୍ତରରେ ଏବଂ ନାଗରିକ ସମାଜ ସ୍ତରରେ ଶାନ୍ତିପୂର୍ଣ୍ଣ ଭାବରେ ଆମର ଅଧିକାରକୁ ପୁନର୍ବାର ହାସଲ କରିବାକୁ ହେବ। ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକ ତୁଳନାରେ ଭାରତର ନାଗରିକ ସମାଜ ଦୁର୍ବଳ। ଏହା ସକ୍ରିୟ ପ୍ରତିବାଦ କରିବାର ଦୃଢ଼ ହେଲେ ମଧ୍ୟ ଏହାର ପରିସର କ୍ଷୁଦ୍ର। ନାଗରିକ ସମାଜ ହେଉଛି ଆନୁଷ୍ଠାନିକ ଓ ଅଣ-ଆନୁଷ୍ଠାନିକ ଗୋଷ୍ଠୀ ଏବଂ ବ୍ୟକ୍ତିବିଶେଷ ଓ ସେମାନଙ୍କ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହେଉଥିବା ଏକ କ୍ଷେତ୍ର। ଏହି ଗୋଷ୍ଠୀଗୁଡ଼ିକୁ ଉତ୍ସାହିତ କରାଯିବା ଉଚିତ ଏବଂ ନିଜର ମତବ୍ୟକ୍ତ କରିବା ପାଇଁ ସୁଯୋଗ ଦିଆଯିବା ଆବଶ୍ୟକ। ସେମାନଙ୍କୁ ଏକ ଅସୁବିଧା ବା ବିରକ୍ତିର କାରଣ ଭାବେ ଦେଖାଯିବା ଉଚିତ ନୁହେଁ। କିନ୍ତୁ ଦୁର୍ଭାଗ୍ୟବଶତଃ କ୍ଷମତା ଏବଂ ନେତୃତ୍ୱରେ ଥିବା ଲୋକମାନେ ସେମାନଙ୍କୁ ଠିକ୍‌ ସେହିପରି ଦେଖନ୍ତି। ସରକାର ପ୍ରତିବାଦ ବା ଆନ୍ଦୋଳନ ଅନୁମତି ଦେବାକୁ ଚାହାନ୍ତି ନାହିଁ, କାରଣ ଯେତେବେଳେ ବି ଭାରତୀୟମାନେ ଏକଜୁଟ ହୋଇଛନ୍ତି ଯଥା କୃଷି ଆଇନ ଓ ଏନ୍‌ଆର୍‌ସି ବିରୋଧରେ କିମ୍ବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ସେତେବେଳେ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି। ଏହି କାରଣରୁ ହିଁ ଆମକୁ ନିଶ୍ଚିତ କରିବାକୁ ହେବ ଯେ, ଆମେ ଯେପରି ଶାନ୍ତିପୂର୍ଣ୍ଣ ଭାବରେ ଏକତ୍ରିତ ହେବାର ଏହି ଅଧିକାରକୁ ନ ହରାଉ।

Dharitri – Odisha’s No.1 Odia Daily

Share