କଖାରୁଣୀ-ଚହଳିବାଙ୍କ ପାଟନାଳୀ ତଳପଡ଼ାରେ ଅବରୋଧ

ପଟ୍ଟାମୁଣ୍ଡାଇ,୨୩।୮ (ଅକ୍ଷୟ ବିଶ୍ୱାଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀଠାରୁ ଯାଇଥିବା ପାଟନାଳୀ ତଳପଡ଼ା ସ୍ଲୁଇସ ଗେଟ ନିକଟରେ ଅବରୋଧ କରାଯାଇଛି। ଫଳରେ ଶତାଧିକ ଏକର ଧାନ ଫସଲ ପଚି ନଷ୍ଟ ହେଉଛି। ଏ ନେଇ ଗ୍ରାମବାସୀ ଡ୍ରେନେଜ କଟ୍‌ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବରୋଧ ହଟା ଯାଉନାହିଁ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସବୁଜ ଶ୍ୟାମଳ ଦିଶୁଥିବା କ୍ଷେତ ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଲଘୁଚାପ ପ୍ରଭାବ ବର୍ଷା ଓ କେନାଲ ପାଣି ତଳକୁ ନ ଯାଇ ଜମାଟ ହୋଇ ଜମିରେ ଲହଡି ମାରୁଛି। ଫଳରେ ଚାଷ ଜମିରୁ ବର୍ଷାପାଣି ନିଷ୍କାସିତ ହୋଇପାରୁନାହିଁ।
ଚାଷୀ ରଞ୍ଜିତ ପ୍ରଧାନ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ପଞ୍ଚାୟତର ଓସଙ୍ଗରା, ତଳପଡା ଓ ଖଡିଅଣ୍ଟା ପଞ୍ଚାୟତରେ ଏବେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଡ୍ରେନେଜ କଟ ବିଭାଗର ଅପାରଗତା ପାଇଁ ଜମିରେ ପଡିଥିବା ତଳି ପଚି ଯିବାକୁ ବସିଲାଣି। ଡ୍ରେନେଜ ବିଭାଗର ବେପରୁଆ କାର୍ଯ୍ୟ ଓ ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହା ଚାଷୀମାନଙ୍କ ହିତରେ ଲାଗି ପାରୁନାହିଁ। ଯଦି ଏପରି ଲାଗି ରହେ ତେବେ ଖାଲୁଆ ଜମିରେ ରୁଆ ଯାଇଥିବା ଧାନ ତଳି ପାଣିରେ ନଷ୍ଟ ହୋଇଯିବାର ସମ୍ଭାବନା ଦେଖା ଦେଇଛି। ସାମାଜିକ କର୍ମୀ ନରେଶ ଜେନା କହିଛନ୍ତି, ୨୦୨୧ରେ କଖାରୁଣି କୋଟମୁଣ୍ଡରୁ ତଳପଡା ପର୍ଯ୍ୟନ୍ତ ଡ୍ରେନେଜ କଟ ବିଭାଗ ପକ୍ଷରୁ ୧ କୋଟି ୨୩ ଲକ୍ଷ ଟଙ୍କାର ଏକ ଜଳ ନିଷ୍କାସନ ପଥ ନିର୍ମାଣ କାମ ହୋଇଥିଲା। ମାତ୍ର ତାହା ଏବେ କୌଣସି କାର୍ଯ୍ୟରେ ଲାଗୁ ନ ଥିବା ବେଳେ ଶତାଧିକ ହେକ୍ଟର ଚାଷଜମିରୁ ଜଳ ନିଷ୍କାସନ ହୋଇ ପାରୁ ନାହିଁ। ଦେଷିଆ ପାଖରେ ସ୍ଲୁଇସ୍‌ ଗେଟ ଭାଙ୍ଗିଥିବା ଯୋଗୁ ଚାଷ ଜମିରେ ପାଣି ଜମି ରହିଛି। ଫଳରେ ରୁଆତଳି ନଷ୍ଟ ହୋଇଯାଇଛି। କୃଷି ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ସହ ନାଳର ଭାଙ୍ଗି ପଡିଥିବା ଗେଟ୍‌ ମରାମତି ଲାଗି ଗଁାର ସନ୍ତୋଷ ପ୍ରଧାନ, ବିଘ୍ନେଶ୍ୱର ପ୍ରଧାନ, ବୌଷ୍ଣବ ଚରଣ ଦାସ, ବିଜୟ କୁମାର ମଲ୍ଲିକ, କାଙ୍ଗାଳୀ ଦାସ, ଅଭୟ ମଲ୍ଲିକ, ରାଜେଶ ବାରିକ, ଉମେଶ ଦାସ, ସତ୍ୟବାନ ପ୍ରଧାନ, ସଂଗ୍ରାମ କେଶରୀ ଭଳ, ଭରତ ସାହୁ ଦାବି କରିଛନ୍ତି। ସେମାନେ ଏ ସମ୍ପର୍କରେ ଡ୍ରେନେଜ କଟ୍‌ ସହକାରୀ ଯନ୍ତ୍ରୀ ନିହାରରଞ୍ଜନ ରାଉତରାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଡ୍ରେନେଜ କଟ୍‌ ସହକାରୀ ଯନ୍ତ୍ରୀ ରାଉତରାୟଙ୍କୁ ପଚାରିବାରେ ୪ ମାସ ହେବ ସ୍ଲୁଇସ ଗେଟ ଲୁହାରଡକୁ କେହି ଦୁର୍ବୃତ୍ତ କାଟି ନେଇ ଯାଇଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହଁି। ବର୍ଷା ଜଳ ଓ କେନାଲ ପାଣି ନିଷ୍କାସନ ହୋଇ ନ ପାରିବାରୁ ପାଟ ନାଳୀ ରେ ୭ ଫୁଟର ପାଣି ଜମି ରହିଛି, ଧାନ ବିଲ ସବୁ ବୁଡ଼ି ଯାଇଛି। ଫଳରେ ଧାନ ଫସଲ ପଚିବାକୁ ଆରମ୍ଭ କଲାଣି। ଏ ବାବଦରେ ଅଭିଯୋଗ ପାଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି, ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।