୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ

ସୁନ୍ଦରଗଡ,୧୯।୮(ଡି.ଏନ.ଏ.): ସୁନ୍ଦରଗଡ଼ଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଡାକରା ସା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ବନ୍ଦ ପାଳନ ଯୋଗୁ ଯାନବାହନ ଏବଂ ଦୋକାନ ବଜାର ବନ୍ଦ ରହିଛି। ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ କାର୍ଯ୍ୟକର୍ତ୍ତା ବିଜୁ ଏକ୍ସପ୍ରେସ ୱେର ରାଣୀ ବଗିଚା ବାଇପାସ , କିରେଇ ବାଇପାସ ଓ କଲେଜ ବାଇପାସ୍‌ଠାରେ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ରାଉରକେଲା ଏବଂ ଝାରସୁଗୁଡ଼ା ପଟକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ବନ୍ଦ ଯୋଗୁ ସହରର ଦୋକାନ ବଜାର ବନ୍ଦ ଥିବା ବେଳେ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି ।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ସ୍ଥାନୀୟ ଡିଆରଡିଏ ଛକଠାରେ ଗତ ୧୬ ତାରିଖ ଠାରୁ ଚାଲିଥିବା ଆମରଣ ଅନଶନ କରିଆସୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଜିଲା ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ଆଲୋଚନା ପାଇଁ କୌଣସି ପ୍ରସ୍ତାବ ଆସି ନ ଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଗୁରୁବାର ସମସ୍ତ ସଙ୍ଗଠନ ଯଥା, ବସ, ଟ୍ରକ ମାଲିକ ସଂଘ, ଓକିଲ, ସାମ୍ବାଦିକ ସଂଘ, ବରିଷ୍ଠ ନାଗରିକ, ବ୍ୟବସାୟୀ ସଂଘ, ଟେମ୍ପୁ, କମାଣ୍ଡର ସଂଘ, ସମସ୍ତ ଜନସାଧାରଣ, ଧାର୍ମିକ ସଙ୍ଗଠନର କର୍ମକର୍ତ୍ତାମାନେ ଅପରାହ୍ନରେ ଅନଶନସ୍ଥଳରେ ପହଞ୍ଚତ୍ଥିଲେ। ଏଠାରେ ଅନୁଷ୍ଠିତ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ବୈଠକରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଶୁକ୍ରବାର ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଥିଲା।