ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ଧରାପଡ଼ିଲେ ଅଭିଯୁକ୍ତ

ବଞ୍ଚୋ,୧୭।୯(ପ୍ରଦୋଷ ବିଶ୍ୱାଳ ): ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ଗୁରୁବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଅନିଲ ଓରଫ ତାପସ ପାତ୍ର। ଏନେଇ ପୋଲିସ ଭାରତୀୟ ଦଣ୍ଡ ସଂହିତାର ଧାରା ୩୪୧/୨୯୪/୫୦୯/୫୦୬ ସହ ଆଇଟି ଆକ୍ଟରର ଧାରା ୬୬(ସି)/୬୭/୬୭(ଏ) ଅନୁଯାୟୀ ଏକ ମାମଲା(ନଂ.୩୨୭/୨୬) ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ, ଘସିପୁରା ଥାନା ଅଞ୍ଚଳର ଜଣେ ମହିଳାଙ୍କ ଫଟୋକୁ ଏଡିଟ୍‌ କରି ଅଭିଯୁକ୍ତ ଅନିଲ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହା ଜାଣି ମହିଳା ଜଣକ ଘସିପୁରା ଥାନାରେ ଅଭିଯାଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା।

ଅଭିଯୁକ୍ତ ଅନିଲ ଯାଜପୁର ଜିଲା କଳିଙ୍ଗନଗର ଥାନା ରଗଡ଼ା ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କୁ ପଚାରିବାରୁ ସାଇବର ଅପରାଧ ସମ୍ପର୍କିତ ଅଭିଯୋଗର ତଦନ୍ତରେ ବୈଷୟିକ ବିଶ୍ଳେଷଣ ସହ ଅନ୍ୟାନ୍ୟ ତଦନ୍ତ ପ୍ରଣାଳୀର ସହାୟତା ନିଆଯାଇଥାଏ। ଅଭିଯୋଗର ସତ୍ୟତା ଆଧାରରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Share