ଘରବାରି କିସମ ଜମିରେ ପୋଖରୀ ଖନନକୁ ବିରୋଧ

ଭଦ୍ରକ ଅଫିସ, ୫ା୪: ଘରବାରି କିସମ ଜମିରେ ବେଆଇନ ପୋଖରୀ ଖନନ ଯୋଗୁ ଘର ଭୁଶୁଡ଼ିବା ଆଶଙ୍କାରେ ପ୍ରତିବାଦ କରି ଏକ ପରିବାର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ପ୍ରକାଶ ଯେ, ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ପଦ୍ମପୁର ଗ୍ରାମର ସନ୍ତୋଷ ପାଢ଼ୀଙ୍କ ଘରବାରି ପ୍ଲଟକୁ ଲାଗି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ୭ ଫୁଟ ଗଭୀର ପୋଖରୀ ଖୋଳିଛନ୍ତି। ଫଳରେ ସନ୍ତୋଷଙ୍କ ପରିବାର ଲୋକଙ୍କ ସହ ଗୃହପାଳିତ ପ୍ରାଣୀ ଖାଲରେ ପଡୁଛନ୍ତି। ଏନେଇ ବିରୋଧ କରିବାରୁ ପୋଖରୀ ଖୋଳିଥିବା ଲୋକ ସେମାନଙ୍କୁ ଗାଳିଗୁଲଜ କରିଛନ୍ତି। ଉକ୍ତ ପୋଖରୀ ପୋତାଯାଉ ବୋଲି ସନ୍ତୋଷଙ୍କ ପରିବାର ଲୋକେ ଦାବି କରିଛନ୍ତି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସେମାନଙ୍କ ସହ ଆଲୋଚନା କରିବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ପରେ ମଧ୍ୟ ସେମାନେ ଧାରଣାରେ ବସି ରହିଛନ୍ତି।