Categories: ଜାତୀୟ

ଭାରତୀୟ ଆଇନକୁ ପାଳନ କର

ନୂଆଦିଲ୍ଲୀ, ୧୯।୬: ଭାରତୀୟ ଆଇନ ଓ ନିୟମାବଳୀକୁ ଅନୁପାଳନ କରିବା ଲାଗି ସଂସଦୀୟ କମିଟି ଶୁକ୍ରବାର ଟୁଇଟର ଇଣ୍ଡିଆକୁ କଡ଼ା ବାର୍ତ୍ତା ଦେଇଛି। ନୂଆ ଆଇଟି ନିୟମାବଳୀକୁ ନେଇ କେନ୍ଦ୍ର ସରକାର ଓ ଟୁଇଟର ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଶୁକ୍ରବାର ଉକ୍ତ ମାଇକ୍ରୋବ୍ଲଗିଂ ସାଇଟ୍‌ର ଅଧିକାରୀମାନେ କଂଗ୍ରେସ ନେତା ଶଶୀ ଥରୁରଙ୍କ ନେତୃତ୍ୱାଧୀନ ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ। ଟୁଇଟର ନିଜ ନୀତିକୁ ପାଳନ କରୁଥିବା ଏହାର ପ୍ରତିନିଧି ସୂଚନା ଓ ପ୍ରଯୁକ୍ତି ଉପରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ କହିଥିଲେ। ସୋସିଆଲ ମିଡିଆର ଅପବ୍ୟବହାର ରୋକିବା ପ୍ରସଙ୍ଗରେ ଟୁଇଟର ଇଣ୍ଡିଆ ପ୍ରତିନିଧିଙ୍କୁ ହାଜର ହେବା ଲାଗି କୁହାଯାଇଥିଲା। ତୁରନ୍ତ ନୂଆ ଆଇଟି ନିୟମାବଳୀ ଅନୁପାଳନ କରିବା ଲାଗି ଚଳିତ ମାସ ଆରମ୍ଭରେ କେନ୍ଦ୍ର ସରକାର ଟୁଇଟରକୁ ଶେଷ ସୁଯୋଗ ଦେଇଥିଲେ। ଯଦି ଉକ୍ତ ଓ୍ବେବ୍‌ସାଇଟ ନିୟମାବଳୀ ଅନୁପାଳନ କରିବାରେ ବିଫଳ ହୁଏ, ତେବେ ଏହା ଆଇଟି ଆଇନରେ ଉତ୍ତରଦାୟିତ୍ୱରୁ ମୁକ୍ତି ସୁଯୋଗ ହରାଇବ ବୋଲି ସତର୍କ କରିଦିଆଯାଇଥିଲା। ପ୍ଲାଟ୍‌ଫର୍ମର ଅପବ୍ୟବହାର ଏବଂ ନାଗରିକ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ଗତ ସପ୍ତାହରେ ଟୁଇଟରକୁ ସମନ କରିଥିଲା। ଟୁଇଟର ଇଣ୍ଡିଆର ପବ୍ଲିକ୍‌ ପଲିସୀ ମ୍ୟାନେଜର ଶଗୁଫ୍‌ତା କମ୍ରାନ ଏବଂ ଆଇନ ପରାମର୍ଶଦାତା ଆୟୁଷୀ କପୁର ଶୁକ୍ରବାର ସଂସଦୀୟ କମିଟି ଆଗରେ ହାଜର ହୋଇଥିଲେ। ମାଇକ୍ରୋବ୍ଲଗିଂ ସାଇଟ୍‌ ଭାରତୀୟ ଆଇନକୁ ମାନୁଛି କି ବୋଲି କମିଟି ପ୍ରଶ୍ନ କରିବାରୁ ସେମାନେ ନିଜ ନୀତି ଅନୁଯାୟୀ କାର୍ଯ୍ୟ କରୁଥିବା କହିଥିଲେ। ଗୁରୁତ୍ୱପୂର୍ଣ୍ଣ ନୀତି ନିଷ୍ପତ୍ତି ନେବା ପାଇଁ କେତେଜଣ କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷ ରହିଛନ୍ତି ବୋଲି କମିଟି ଜାଣିବାକୁ ଚାହିଁଥିଲା। ଭାରତୀୟ ଆଇନ ସବୁଠୁ ଊର୍ଦ୍ଧ୍ୱରେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହାକୁ ଅନୁପାଳନ କରିବାକୁ ହେବ ବୋଲି ଟୁଇଟର ଇଣ୍ଡିଆ ପ୍ରତିନିଧିଙ୍କୁ ସଂସଦୀୟ କମିଟି କହିଥିଲା।

Share